Breaking PLUSଦେଶମୁଖ୍ୟ ଖବରରାଜନୀତି

ପଞ୍ଜାବରେ ଆପ୍‌କୁ ବଡ଼ ଝଟକା, ବିଜେପିରେ ମିଶିଲେ ୩ ବିଧାୟକ

ପଞ୍ଜାବରେ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ଲାଗିଛି ବଡ଼ ଝଟକା। ଗତ ୨୪ ଘଣ୍ଟା ମଧ୍ୟରେ ଦଳର ୩ ବିଧାୟକ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ରବିବାର ଆପ୍‌ ବିଧାୟକ ତଥା ପୂର୍ବତନ ଆଇପିଏସ୍‌ ଅଧିକାରୀ କନୱର ବିଜୟ ପ୍ରତାପ ସିଂହ ବିଧାୟକ ପଦ ଛାଡ଼ିଛନ୍ତି। ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗତ ଜୁନ୍‌ରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

ଉତ୍ତର ଅମୃତସର ଆସନରୁ ନିର୍ବାଚିତ ସିଂହ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି କୁଲତାର ସିଂହ ସାନ୍ଧୱାନଙ୍କୁ ପଠାଇଛନ୍ତି। ସେ ଫେସବୁକ୍‌ରେ ଇସ୍ତଫା ଘୋଷଣା କରିବା ସହ ପତ୍ର ମଧ୍ୟ ସେୟାର କରିଛନ୍ତି। ଇସ୍ତଫା ୧ ନଭେମ୍ବର ୨୦୨୬ରୁ ଲାଗୁ ହେବ ବୋଲି ପତ୍ରରେ ଉଲ୍ଲେଖ ରହିଛି।

ଏହା ପୂର୍ବରୁ ସମନା ବିଧାୟକ ଚେତନ ସିଂହ ଜୌରାମଜରା ଓ ସନୌର ବିଧାୟକ ହରମିତ ସିଂହ ପଠାନମଜରା ଆପ୍‌ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ତିନିଜଣ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜେପି ଜାତୀୟ ସାଧାରଣ ସମ୍ପାଦକ ତଥା ପଞ୍ଜାବ ପ୍ରଭାରୀ ସତୀଶ ପୁନିଆ, ବୀରେନ୍ଦ୍ର ସଚ୍ଚଦେବ ଓ ପଞ୍ଜାବ ବିଜେପି ସଭାପତି କେୱାଲ ସିଂହ ଧିଲନ ଉପସ୍ଥିତ ଥିଲେ।

ଆଗାମୀ ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ ୪୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ପଠାନମଜରା ଓ ଜୌରାମଜରାଙ୍କ ନାଁ ନଥିଲା। ଉତ୍ତର ଅମୃତସର ଆସନ ପାଇଁ ମଧ୍ୟ ଏଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ବିଜେପିରେ ଯୋଗଦେବା ପରେ ସତୀଶ ପୁନିଆ କହିଛନ୍ତି, ଦଳ ନିଶା, ଦୁର୍ନୀତି ଓ ଅପରାଧ ବିରୋଧରେ କାମ କରିବ। ତାଙ୍କ ଅଭିଯୋଗ ଅନୁସାରେ, ନିଶାମୁକ୍ତ ପଞ୍ଜାବ ଗଠନ ପାଇଁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିଶ୍ରୁତି ପୂରଣ ହୋଇନାହିଁ। ପୁନିଆ କହିଛନ୍ତି, ପଞ୍ଜାବର ପୂର୍ବ ଗୌରବ ଫେରାଇ ଆଣିବାକୁ ବିଜେପି ପ୍ରତିବଦ୍ଧ।

Show More

Related Articles

Back to top button