ରାଜ୍ୟରେ ୨୫ ଲକ୍ଷ ଗାଡ଼ିର RC ବାତିଲ ଆଶଙ୍କା, ୨ ଲକ୍ଷରୁ ଅଧିକ ତାଲିକାଭୁକ୍ତ

ବୈଧ କାଗଜପତ୍ର ବିନା ରାସ୍ତାରେ ଗାଡ଼ି ଚଳାଉଥିଲେ ସାବଧାନ! ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ସରକାର। ରାଜ୍ୟରେ ଏଯାଏଁ ୨ ଲକ୍ଷରୁ ଅଧିକ ଗାଡ଼ିର ପଞ୍ଜୀକରଣକୁ ପରମାନେଣ୍ଟ ଆର୍କାଇଭ୍ ବର୍ଗରେ ରଖାଯାଇଛି। ଏହି ତାଲିକାରେ ଉଭୟ ଘରୋଇ ଓ ବାଣିଜ୍ୟିକ ଗାଡ଼ି ରହିଛି।
ନିୟମ ଅନୁସାରେ, ଦୁଇ ବର୍ଷରୁ ଅଧିକ ସମୟ ଧରି ଗାଡ଼ିର ବୀମା ଓ ଆବଶ୍ୟକ ପ୍ରମାଣପତ୍ର ନବୀକରଣ ହୋଇନଥିଲେ ପଞ୍ଜୀକରଣ ବାତିଲ ପ୍ରକ୍ରିୟା ହେଉଛି। ଟୋଲ୍ ଗେଟ୍ରେ ଲାଗୁ ହୋଇଥିବା ଇ-ଡିଟେକ୍ସନ୍ ବ୍ୟବସ୍ଥା ମାଧ୍ୟମରେ ନିୟମ ଉଲ୍ଲଂଘନକାରୀ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଉଛି।

ଏହାବ୍ୟତୀତ ରାଜ୍ୟରେ ଚଳାଚଳ କରୁଥିବା ଆହୁରି ପ୍ରାୟ ୨୫ ଲକ୍ଷ ଗାଡ଼ିର ପଞ୍ଜୀକରଣ ବାତିଲ ହେବାର ଆଶଙ୍କା ରହିଛି। ବୈଧ ବୀମା, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) କିମ୍ବା ଫିଟ୍ନେସ୍ ସାର୍ଟିଫିକେଟ୍ ନଥାଇ ଗାଡ଼ି ଚଳାଚଳ କରୁଥିବା ଧରାପଡ଼ିଲେ ତାହାକୁ ଜବତ କରାଯିବ।
ସଡ଼କ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ହ୍ରାସ କରିବା ଲକ୍ଷ୍ୟରେ ସରକାର ମୋଟର ଯାନ ଆଇନକୁ କଡ଼ାକଡ଼ି କରୁଛନ୍ତି। ନିୟମ ଖିଲାପ କଲେ ମୋଟା ଅଙ୍କର ଜରିମାନା ସହ ଗିରଫ ଭଳି କାର୍ଯ୍ୟାନୁଷ୍ଠାନର ମଧ୍ୟ ବ୍ୟବସ୍ଥା ରହିଛି।


