ଆର୍ଥିକ ପରିଚାଳନା ସୁଦୃଢ଼ କରିବାକୁ ଅର୍ଥ ପରାମର୍ଶଦାତାଙ୍କୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟ ସରକାରୀ ବିଭାଗର ଅର୍ଥ ପରାମର୍ଶଦାତାଙ୍କ ପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀରେ ଏକଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଓଡ଼ିଶା ଜିଏସ୍ଟି ଆଇନ ଅନୁଯାୟୀ କାର୍ଯ୍ୟ ଚୁକ୍ତି ସେବା ଓ ଟିଡିଏସ୍ ବ୍ୟବସ୍ଥା ଉପରେ ଏହି କର୍ମଶାଳା ହୋଇଥିଲା।
ଅର୍ଥ ବିଭାଗ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏସ୍ଟି ଆଇନ, ନିୟମ ଓ ହାରରେ ପରିବର୍ତ୍ତନ ଯୋଗୁଁ ଉପୁଜୁଥିବା ଦ୍ୱନ୍ଦ୍ୱ ଦୂର କରିବା ସହ ବିଭାଗଗୁଡ଼ିକର ଅନୁପାଳନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ବାଣିଜ୍ୟ କର ଓ ଜିଏସ୍ଟି କମିସନର ଯାମିନୀ ଷଡ଼ଙ୍ଗୀ ଏବଂ ଆଞ୍ଚଳିକ ଆର୍ଥିକ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ସନ୍ତୋଷ କୁମାର ସୁଆର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଅର୍ଥ ପରାମର୍ଶଦାତାମାନଙ୍କୁ ସମ୍ବୋଧନ କରି ଅନୁ ଗର୍ଗ କହିଥିଲେ, ରାଜ୍ୟର ଆର୍ଥିକ ପରିଚାଳନା ସୁଦୃଢ଼ କରିବା ଏବଂ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବଜେଟ୍ ଅନୁଯାୟୀ ସମୟୋଚିତ ବ୍ୟୟ, ଆର୍ଥିକ ଅନୁମୋଦନର ସରଳୀକରଣ ଏବଂ ପର୍ଯ୍ୟଟନ, ଶିଳ୍ପ ଓ ଲଜିଷ୍ଟିକ୍ସ ଭଳି ପ୍ରାଥମିକ କ୍ଷେତ୍ରକୁ ସହଯୋଗ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଏହି ଅବସରରେ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୨୦୨୪ ବ୍ୟାଚ୍ର ଓଡ଼ିଶା ଅର୍ଥ ସେବା ଓ ଓଡ଼ିଶା କର ଏବଂ ହିସାବ ସେବାର ୪୮ ଜଣ ପ୍ରଶିକ୍ଷୁ ଅଧିକାରୀଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।



