୧୫ ଦିନ ମଧ୍ୟରେ ବନ୍ଦ ହେବ ଉବେର-ରାପିଡୋ ବାଇକ୍ ସେବା

ଓଡ଼ିଶାରେ ଘରୋଇ ନମ୍ବର ପ୍ଲେଟ୍ ଥିବା ଦୁଇଚକିଆ ଯାନରେ ଯାତ୍ରୀ ପରିବହନ ସେବା ବନ୍ଦ କରିବାକୁ ଉବେର ଓ ରାପିଡୋକୁ ନିର୍ଦ୍ଦେଶ ଦେଇଛି କ୍ରାଇମ୍ବ୍ରାଞ୍ଚ। ଏଥିପାଇଁ ଉଭୟ କମ୍ପାନୀକୁ ୧୫ ଦିନର ସମୟ ଦିଆଯାଇଛି।
ଏନେଇ ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖିଛି କ୍ରାଇମ୍ବ୍ରାଞ୍ଚ। ମୋଟର ଯାନ ଆଇନ, ୧୯୮୮ ଏବଂ ଓଡ଼ିଶା ଅନ୍-ଡିମାଣ୍ଡ ଟ୍ରାନ୍ସପୋର୍ଟେସନ୍ ଟେକ୍ନୋଲୋଜି ଏଗ୍ରିଗେଟର୍ସ ଗାଇଡ୍ଲାଇନ୍-୨୦୨୩ ଅନୁଯାୟୀ, ଘରୋଇ ନମ୍ବର ପ୍ଲେଟ୍ ଥିବା ବାଇକ୍କୁ ବାଣିଜ୍ୟିକ ଯାତ୍ରୀ ପରିବହନରେ ବ୍ୟବହାର କରିବା ବେଆଇନ।
ତେଣୁ ଆପ୍ରେ ଜିଓଫେନ୍ସିଂ ବ୍ୟବସ୍ଥା ଜରିଆରେ ଏଭଳି ବାଇକ୍ ବୁକିଂ ସେବାକୁ ବନ୍ଦ କରିବା ସହ ଏହାର ଅନୁପାଳନ ରିପୋର୍ଟ କ୍ରାଇମ୍ବ୍ରାଞ୍ଚ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଦାଖଲ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।
ତେବେ ଏହି ନିର୍ଦ୍ଦେଶ କେବଳ ଘରୋଇ ନମ୍ବର ପ୍ଲେଟ୍ ଥିବା ବାଇକ୍ ଟ୍ୟାକ୍ସି ପାଇଁ ଲାଗୁ ହେବ। ଅନୁମୋଦିତ କ୍ୟାବ୍ ଓ ଅଟୋ ସେବା ପୂର୍ବଭଳି ଜାରି ରହିବ।



