
ଭାରତରେ ବ୍ୟବସାୟ କରିବାକୁ ସ୍ୱାଗତ, କିନ୍ତୁ ଦେଶର ରାଜନୀତିରେ ହସ୍ତକ୍ଷେପ କରନାହିଁ। ମେଟାକୁ ଏଭଳି ପରାମର୍ଶ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। କଂଗ୍ରେସ ନେତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଉପରେ ମେଟା ପକ୍ଷପାତମୂଳକ ଭାବେ ଅଙ୍କୁଶ ଲଗାଉଥିବା ଅଭିଯୋଗ ମଧ୍ୟରେ ଅଖିଳେଶଙ୍କ ଏହି ମନ୍ତବ୍ୟ ଆସିଛି।
ମେଟା ବିରୋଧରେ ଏହି ଅଭିଯୋଗକୁ ନେଇ ମୁମ୍ବଇ ଓ ହାଇଦରାବାଦରେ ଯୁବ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଥିଲେ। ମେଟା କାର୍ଯ୍ୟାଳୟରେ ପହଞ୍ଚି ସେମାନେ କଂଗ୍ରେସ ନେତାଙ୍କ ସ୍ୱରକୁ ଦବାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଥିଲେ। ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିବା ଓ ପ୍ରଶ୍ନ ଉଠାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ବୋଲି ସେମାନେ କହିଥିଲେ।
ଅଖିଳେଶଙ୍କ ମତରେ, ମେଟା କିମ୍ବା ଅନ୍ୟ କୌଣସି ବିଦେଶୀ କମ୍ପାନୀ ଭାରତରେ ବ୍ୟବସାୟ କରିବାରେ ଆପତ୍ତି ନାହିଁ। କିନ୍ତୁ ଦେଶର ରାଜନୈତିକ ବ୍ୟବସ୍ଥା ଓ ଜନମତକୁ ପ୍ରଭାବିତ କରିବା ଭଳି କାର୍ଯ୍ୟରୁ ସେମାନେ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ଏହା ରାଜନୈତିକ ମତ ପ୍ରକାଶ, ଜନମତ ଗଠନ ଓ ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ମଞ୍ଚ। ତେଣୁ ଏହି ମଞ୍ଚଗୁଡ଼ିକର ନିରପେକ୍ଷତା ଓ ନିଷ୍ପକ୍ଷତା ବଜାୟ ରହିବା ଜରୁରୀ।



