Breaking PLUSଦେଶମୁଖ୍ୟ ଖବର

ଏନସିଏସ୍ ୱାନ୍ ପୋର୍ଟାଲ ଲଞ୍ଚ୍, ଭୁବନେଶ୍ୱର ସମେତ ୮ ସହରରେ କ୍ୟାରିୟର ଲାଉଞ୍ଜ

ଗାନ୍ଧୀନଗର: ଦେଶର ନିଯୁକ୍ତି ଓ ଶ୍ରମ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନ୍ୟାସନାଲ କ୍ୟାରିୟର ସର୍ଭିସ୍‌ (ଏନସିଏସ୍‌) ୱାନ୍‌ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ରବିବାର ଦୁଇଦିନିଆ ‘ଚିନ୍ତନ ଶିବିର’ର ଶେଷ ଦିନରେ ଏହି ପୋର୍ଟାଲ ସହ ଭଏସ୍‌ ବଟ୍‌, ଚାଟ୍‌ ବଟ୍‌ ଓ ଅକ୍ୟୁପେସନାଲ୍‌ ସର୍ଟେଜ୍‌ ଇଣ୍ଡେକ୍ସ (ଓଏସ୍‌ଆଇ)ର ଶୁଭାରମ୍ଭ ହୋଇଛି। ଏହା ସହ ଇ-ଶ୍ରମ ଲାଇଭଲିହୁଡ୍‌ ପ୍ରୋଫାଇଲ୍‌ ମଡ୍ୟୁଲ୍‌ ମଧ୍ୟ ଉନ୍ମୋଚିତ ହୋଇଛି।

ଏହି ଅବସରରେ ଭୁବନେଶ୍ୱର ସମେତ ଜୟପୁର, ଲୁଧିଆନା, କାନପୁର, ବେଙ୍ଗାଲୁରୁ, ବାରାଣସୀ, ହାଇଦ୍ରାବାଦ ଓ ଗୁଆହାଟୀରେ ୮ଟି କ୍ୟାରିୟର ଲାଉଞ୍ଜର ଭର୍ଚୁଆଲ୍‌ ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ। ଦେଶର ଟାୟାର-୨ ଓ ଟାୟାର-୩ ସହରରେ ନିଯୁକ୍ତି ଏକ୍ସଚେଞ୍ଜ, ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଏଭଳି ୨୦୦ଟି କେନ୍ଦ୍ର ସ୍ଥାପନ କରାଯିବ।

ଏହି କେନ୍ଦ୍ରଗୁଡ଼ିକରେ ଯୁବବର୍ଗଙ୍କୁ କ୍ୟାରିୟର ପରାମର୍ଶ, ଦକ୍ଷତା ମୂଲ୍ୟାଙ୍କନ, ପ୍ରଶିକ୍ଷଣ, ଇଣ୍ଟର୍ନସିପ୍‌, ଆପ୍ରେଣ୍ଟିସସିପ୍‌ ଓ ନିଯୁକ୍ତି ସହାୟତା ମିଳିବ। ଏଥିସହ ଅନ୍ତର୍ଜାତୀୟ ନିଯୁକ୍ତି ସୁଯୋଗ ଓ ବିଦେଶୀ ଶ୍ରମ ବଜାର ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯିବ।

ମନ୍ତ୍ରୀ ମାଣ୍ଡଭିୟ ଏହି ଅବସରରେ ଜାତୀୟ ବୃତ୍ତି ବର୍ଗୀକରଣର ସଂଶୋଧିତ ସଂସ୍କରଣ ଏବଂ ନୂତନ ଓ ଉଦୀୟମାନ ସବୁଜ ବୃତ୍ତି ସମ୍ପର୍କିତ ଦୁଇଟି ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି। ଦୁଇଦିନିଆ ଶିବିରରେ ଶ୍ରମ ଆଇନ, ନିଯୁକ୍ତି ଯୋଜନା, ଇପିଏଫ୍‌ଓ ଓ ଇଏସ୍‌ଆଇସି ସଂସ୍କାର ଏବଂ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା।

Show More

Related Articles

Back to top button