ଜଣେ ମହିଳା ଓକିଲଙ୍କୁ ମାଡ ମାରି ପଡୋଶୀ ଜଣେ ଗିରଫ
କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲାରେ ଜଣେ ମହିଳା ଓକିଲଙ୍କୁ ତାଙ୍କର ପଡ଼ୋଶୀ ମାଡମାରି ଗିରଫ ହୋଇଛନ୍ତି । ମାରଧର କରୁଥିବାର ଭିଡିଓ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ଉତ୍ତେଜତ ଭିଡିଓରେ ଦେଖାଯାଉଛି, ବିନାୟକ ନଗର ନିକଟ ରାସ୍ତାରେ ଶନିବାର ଅପରାହ୍ଣରେ ମହିଳା ଓକିଲ ସଙ୍ଗୀତାଙ୍କୁ ତାଙ୍କ ପଡ଼ୋଶୀ ମହାନତେଶ ଭୀଷଣ ରାଗିଯାଇ ଖୁବ୍ ଜୋରରେ ଗୋଇଠା ଓ ଚାପୁଡା ମାରୁଛନ୍ତି। ଚାପୁଡା ଖାଇ ସଙ୍ଗୀତା ପଛକୁ ଫେରିଯାଉଥିବା ବେଳେ ମହାନତେଶ ତାଙ୍କ ପେଟକୁ ଗୋଇଠା ମାରୁଛନ୍ତି। ମାଡ଼ରୁ ବଞ୍ଚିବା ପାଇଁ ସଙ୍ଗୀତା ଗୋଟାଏ ପ୍ଲାଷ୍ଟିକ୍ ଚେୟାର୍ ଉଠାଇବା ବେଳେ ମହାନତେଶ ତାଙ୍କୁ ପୁଣି ଗୋଇଠା ଓ ଚାପୁଡା ମାରୁଛନ୍ତି। ସଙ୍ଗୀତାଙ୍କ ହାତରୁ କିଛି କାଗଜ ମଧ୍ୟ ଖସି ପଡୁଥିବା ଦେଖିବାକୁ ମାଳୁଛି। ଯନ୍ତ୍ରଣାରେ ଛଟପଟ ହେଉଥିବା ସଙ୍ଗୀତାଙ୍କୁ ସେ ବାରମ୍ୱାର ଗୋଇଠା ଓ ଚାପୁଡ଼ା ମାରିବା ଜାରି ରଖିଛନ୍ତି। ଘଟଣାସ୍ଥଳରେ ପବ୍ଲିକ୍ ଲୋକମାନେ ଉପସ୍ଥିତ ଥିଲେ ମଧ୍ୟ କେହି ବି ସଙ୍ଗୀତାଙ୍କୁ ସାହାର୍ଯ୍ୟ କରିବାକୁ ଆସୁନାହାନ୍ତି । ଏହି ଭିଡିଓଟି ଭାଇରାଲ ହେବା ପରେ ଏହାକୁ ଭିତ୍ତି କରି ବାଗଲକୋଟ୍ ଟାଉନ୍ ଥାନା ପୁଲିସ ମହାନତେଶଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଜମିବାଡ଼ି ମାମଲାକୁ ନେଇ ବ୍ୟକ୍ତିଗତ ଶତ୍ରୁତା ଲାଗିରହିଥିବାରୁ ମହାନତେଶ ମହିଳା ଓକିଲଙ୍କୁ ମାଡ ମାରିଥିଲେ । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ଅନେକ ଥର ମାଡ଼ପିଟ ଓ ଝଗଡା ହୋଇଛି। ସଙ୍ଗୀତା ମହାନିତେଶଙ୍କୁ ହଇରାଣ କରୁଥିଲେ ବୋଲି ସେ କହିଛନ୍ତି ।