
କୋରାପୁଟ : ବାରହା ଶିକାର ପାଇଁ ଆଳୁ ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ମେଡିପୁଟ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ପଦୁ ଗୁଣ୍ଠା। ତାଙ୍କୁ ୩୫ ବର୍ଷ ହୋଇଥିଲା। ପଦୁ ନିଜ କ୍ଷେତରେ ଆଳୁ ଚାଷ କରିଥିଲେ। ଆଜି ଭୋର ସମୟରେ ଆଳୁ ଲଗାଇଥିବା ଜମି ନିକଟରେ ଲାଇଟ୍ ଦେଖାଯାଇଥିଲା। କିଏ ଚୋର ତାଙ୍କ ଆଳୁ ଖୋଳି ନେଇଯାଉଛି ଭାବି ପଦୁ ଦେଖିବାକୁ ଯାଇଥିଲେ। ଆଳୁ ଚାଷ କରିଥିବା ଜମିର ବାଡରେ ଅନ୍ୟ ଗାଁର ୪ଜଣ ଯୁବକ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ। ପଦୁ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାର ଲୋକେ ଲାଇନ କାଟି ତାଙ୍କୁ ଉଦ୍ଧାର କରିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ବିଦ୍ୟୁତ ତାର ବିଛାଇଥିବା ୪ଜଣ ଯୁବକଙ୍କ ମଧ୍ୟରୁ ୨ ଜଣ ଯୁବକଙ୍କୁ ଅଟକ ରଖି ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଛି।



