ମୁଖ୍ୟ ଖବରରାଜନୀତି

ଅଖିଳେଶଙ୍କ ବଡ଼ ଘୋଷଣା: ୩୦୦ ୟୁନିଟ ମାଗଣା ବିଦ୍ୟୁତ୍‌, ମହିଳାଙ୍କୁ ୪୦,୦୦୦ ପେନସନ

ଲକ୍ଷ୍ନୌ, ୨୧।୪: ଅଖିଳେଶ ଯାଦବ ସୋମବାର ଲକ୍ଷ୍ନୌରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି ଏକ ବଡ଼ ନିର୍ବାଚନୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି ୨୦୨୭ରେ ଉତ୍ତର ପ୍ରଦେଶରେ ସରକାର ଗଠନ କରେ, ତେବେ ରାଜ୍ୟର ଗ୍ରାହକମାନଙ୍କୁ ପ୍ରତିମାସ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସେହି ସହ ମହିଳାମାନଙ୍କ ପାଇଁ ବଡ଼ ସମାଜିକ ସୁରକ୍ଷା ଯୋଜନା ଘୋଷଣା କରି କହିଛନ୍ତି ଯେ ପ୍ରତିବର୍ଷ ₹୪୦,୦୦୦ ପେନସନ ଦିଆଯିବ।
ଅଖିଳେଶ ଯାଦବ ତାଙ୍କ ଭାଷଣରେ ବର୍ତ୍ତମାନ ସରକାରଙ୍କୁ ବିଦ୍ୟୁତ୍‌, ସ୍ୱାସ୍ଥ୍ୟ ସେବା ଓ ମୁଦ୍ରାସ୍ଫୀତି ପ୍ରସଙ୍ଗରେ କଠୋର ଭାବରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ରାଜ୍ୟର ଲୋକମାନେ ଖରାପ ସ୍ୱାସ୍ଥ୍ୟ ସେବା, ଔଷଧ ଓ ସାର ଅଭାବ ନେଇ ଦୁଃଖଭୋଗ କରୁଛନ୍ତି। ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଥିବା ଏବଂ କୃଷକମାନେ ଆବଶ୍ୟକ ସାମଗ୍ରୀ ପାଇବାରେ ସମସ୍ୟାରେ ପଡ଼ୁଥିବା ସେ ଉଲ୍ଲେଖ କରିଥିଲେ।
ସ୍ମାର୍ଟ ମିଟର ବ୍ୟବସ୍ଥାକୁ ନେଇ ମଧ୍ୟ ସେ କଠୋର ଆପତ୍ତି ଜଣାଇଥିଲେ। ସେ କହିଥିଲେ ଯେ ସ୍ମାର୍ଟ ମିଟର ନାମରେ ସାଧାରଣ ଗ୍ରାହକଙ୍କୁ ଶୋଷଣ କରାଯାଉଛି ଏବଂ ବିଦ୍ୟୁତ୍‌ ବିଲ ଅନିୟମିତ ଭାବରେ ବଢ଼ୁଛି। ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନଆକ୍ରୋଶ ବଢ଼ୁଥିବା ସେ କହିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିଦ୍ୟୁତ୍‌ ପ୍ରକଳ୍ପ ଓ ମିଟର ଲାଗୁ କରିବା ପୂର୍ବରୁ କମ୍ପାନୀମାନଙ୍କଠାରୁ ଆଗୁଆ କମିଶନ ନିଆଯାଉଛି, ଯାହା ପରେ ଗ୍ରାହକମାନଙ୍କୁ ଅଧିକ ବିଲ ଆଦାୟ କରି ଫେରାଇ ନିଆଯାଉଛି।
ବିଜେପିକୁ ସିଧାସଳଖ ଟାର୍ଗେଟ କରି ଅଖିଳେଶ କହିଥିଲେ ଯେ ଇଭିଏମ ପରି ବିଦ୍ୟୁତ୍‌ ମିଟରରେ ମଧ୍ୟ “ହେରାଫେରି” ହେଉଛି ବୋଲି ଲୋକମାନେ ଭାବୁଛନ୍ତି। ସେ ଆହୁରି କହିଥିଲେ ଯେ ମହଙ୍ଗା ବିଦ୍ୟୁତ୍‌ ଓ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲୋକମାନଙ୍କୁ ଅସନ୍ତୁଷ୍ଟ କରୁଛି ଏବଂ ଏହା ଆଗାମୀ ନିର୍ବାଚନରେ ଭାଜପା ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ଉଦାହରଣ ଭାବେ ଦେଇ ସେ କହିଥିଲେ ଯେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପାଇଁ ଦଳକୁ ଏକ ଶକ୍ତ ଏବଂ ସୁସଂଗଠିତ ରଣନୀତି ସହ ଆଗେଇଯିବାକୁ ପଡିବ ବୋଲି ସେ କହିଥିଲେ। କର୍ମୀମାନଙ୍କୁ ଏକତାବଦ୍ଧ ହୋଇ ମାଟିସ୍ତରରେ କାମ କରିବାକୁ ଆହ୍ୱାନ କରି ସେ ଅଧିକରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ଧାରଣ କରିବାକୁ ଉତ୍ସାହିତ କରିଥିଲେ।

Show More

Related Articles

Back to top button