ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂପୂର୍ଣ୍ଣ ସଂଶୋଧନ ପ୍ରକ୍ରିୟାକୁ ସୁଚାରୁ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟକରିତା କରିବା ପାଇଁ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ରାଜ୍ୟର ସାତଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ବରିଷ୍ଠ ପ୍ରତିନିଧିମାନେ ଯୋଗଦେଇଥିଲେ। ଭୋଟର ତାଲିକାକୁ ନିର୍ଭୁଳ, ସ୍ୱଚ୍ଛ ଓ ଅଦ୍ୟତନ କରିବା ସହ ଯୋଗ୍ୟ ମତଦାତାଙ୍କୁ ସାମିଲ କରିବା ଏବଂ ଅଯୋଗ୍ୟ ନାମଗୁଡ଼ିକୁ ବାଦ ଦେବା ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗୋପାଳନ କହିଥିଲେ।
ସେ ରାଜନୈତିକ ଦଳଗୁଡ଼ିକୁ ସଂଶୋଧନ ପ୍ରକ୍ରିୟାର ପ୍ରଶାସନିକ ଓ ପ୍ରାଯୁକ୍ତିକ ପାର୍ଶ୍ୱ ସମ୍ପର୍କରେ ଅବଗତ କରାଇବା ସହ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ ସ୍ତରୀୟ ପ୍ରତିନିଧି ନିଯୁକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ।
ବୈଠକରେ ନୂତନ ଭୋଟର ପଞ୍ଜୀକରଣ, ପ୍ରବାସୀ ମତଦାତାଙ୍କ ସମସ୍ୟା, ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ ଦେବା ପରି ବିଷୟରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ମତାମତ ଓ ପ୍ରସ୍ତାବ ଦିଆଯାଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ପ୍ରସ୍ତାବକୁ ସ୍ୱାଗତ କରିବା ସହ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସମଗ୍ର ସଂଶୋଧନ ପ୍ରକ୍ରିୟା କରାଯିବ ବୋଲି ସ୍ପଷ୍ଟ କରିଥିଲେ।
ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର ଓ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ।


