ନୀଳ ଅର୍ଥନୀତି ବିକାଶ ପାଇଁ ଓଡ଼ିଶାର ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ସମୁଦ୍ର ସମ୍ପଦର ସସ୍ଥାୟୀ ବ୍ୟବହାର, ରୋଜଗାର ସୃଷ୍ଟି ଓ ଉପକୂଳ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ପାଇଁ ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଏନେଇ ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସାମୁଦ୍ରିକ ସମ୍ପଦକୁ ଉପଯୋଗ କରି ନୀଳ ଅର୍ଥନୀତି କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି କିପରି ସୁନିଶ୍ଚିତ କରାଯିବ, ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଗତ ମାର୍ଚ୍ଚ ୧୩ ଓ ୧୪ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି–୨୦୨୬’ରୁ ଆସିଥିବା ପରାମର୍ଶ ଆଧାରରେ ଏହି କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଉଛି।
ବଙ୍ଗୋପସାଗର କୂଳରେ ରାଜ୍ୟର ୫୭୫ କିଲୋମିଟର ଲମ୍ବା ସମୁଦ୍ରତଟକୁ ଆଧାର କରି ଅର୍ଥନୈତିକ ଉନ୍ନତି ସହ ପରିବେଶ ସୁରକ୍ଷାକୁ ସମନ୍ୱୟ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ନୀଳ ଅର୍ଥନୀତି ସମ୍ପର୍କିତ ସମସ୍ତ କାର୍ଯ୍ୟ ପାଇଁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗକୁ ନୋଡାଲ ବିଭାଗ ଭାବେ ନିଯୁକ୍ତ କରାଯାଇଛି। ବିଭାଗର କମିଶନର-କମ୍-ସଚିବ ପ୍ରେମ ଚନ୍ଦ୍ର ଚୌଧୁରୀ ବିଭିନ୍ନ ବିଭାଗଙ୍କ ସମନ୍ୱୟରେ ପ୍ରସ୍ତାବିତ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ।
ଏଥିପାଇଁ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଜଳ ସମ୍ପଦ, ଶକ୍ତି, ବିଜ୍ଞାନ ଓ ପ୍ରଯୁକ୍ତି, ବାଣିଜ୍ୟ ଓ ପରିବହନ ଏବଂ ପର୍ଯ୍ୟଟନ ବିଭାଗଙ୍କ ସହଭାଗିତାରେ ଏକ ସମନ୍ୱିତ ଢାଞ୍ଚା ପ୍ରସ୍ତୁତ କରାଯିବ। ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ କ୍ଲଷ୍ଟରକୁ ଜ୍ଞାନ ସହଯୋଗୀ ଭାବେ ଯୋଡ଼ାଯାଇଛି।
ମୁଖ୍ୟ ସଚିବ ସମସ୍ତ ସମ୍ପୃକ୍ତ ବିଭାଗକୁ ସ୍ପଷ୍ଟ ଭାଗୀଦାରି ସହିତ ସମନ୍ୱିତ ନୀଳ ଅର୍ଥନୀତି ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ନିରୀକ୍ଷଣ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟବଳ ଏବଂ ବିଶେଷଜ୍ଞ, ଗବେଷଣା ସଂସ୍ଥା ଓ ଜୈବ ପ୍ରଯୁକ୍ତି ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ଏକ ପ୍ରାଯୁକ୍ତିକ ପରାମର୍ଶଦାତା ଦଳ ଗଠନ କରାଯିବ।
ବୈଠକରେ ‘ବ୍ଲୁ ଇକୋନୋମି ହବ୍’ ସ୍ଥାପନ, ଓଡ଼ିଶା ଚିଙ୍ଗୁଡ଼ି ମିଶନ, ଗଭୀର ସମୁଦ୍ର ମାଛ ଧରା ମିଶନ, କୃତ୍ରିମ ପ୍ରବାଳ ପ୍ରାଚୀର, ସମୁଦ୍ରଭିତ୍ତିକ ମାଛଚାଷ, ସମୁଦ୍ର ଶୈବାଳ ଚାଷ ଏବଂ ‘ଫିଶର ଫ୍ରେଣ୍ଡ’ ମୋବାଇଲ ଆପ୍ ମାଧ୍ୟମରେ ମାଛଧରାଳୀଙ୍କୁ ତତ୍କ୍ଷଣାତ୍ ପାଣିପାଗ ଓ ସମୁଦ୍ର ସୂଚନା ପ୍ରଦାନ ଭଳି ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଧାମରା, ପାରାଦୀପ, ଚାନ୍ଦିପୁର ଓ ଅସ୍ତରଙ୍ଗରେ ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ, ସ୍ୱଚ୍ଛ ମାଛ ବଜାର, ସମନ୍ୱିତ ଜଳକୃଷି ପାର୍କ ଏବଂ ଉଚ୍ଚମୂଲ୍ୟ ପ୍ରଜାତିର କଙ୍କଡ଼ା ପାଇଁ ହ୍ୟାଚେରୀ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।
ମୁଖ୍ୟ ସଚିବ ଅନୁ ଗର୍ଗ କହିଥିଲେ ଯେ, ନୀଳ ଅର୍ଥନୀତି କ୍ଷେତ୍ରର ବିକାଶ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ନୂତନ ଗତି ଦେବ। ସମସ୍ତ ବିଭାଗକୁ ନିଜସ୍ୱ ପ୍ରସ୍ତାବ ଦେବା ସହ ସମନ୍ୱୟ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।



