ରାଜ୍ୟରେ ଚରମରେ ଇନ୍ଧନ ସଙ୍କଟ : ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍, ଲୋକେ ହନ୍ତସନ୍ତ

ରାଜ୍ୟରେ ଇନ୍ଧନ ସଙ୍କଟ ଦିନକୁ ଦିନ ଗଭୀର ରୂପ ନେଉଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ରାଜଧାନୀ ଭୁବନେଶ୍ୱର ସହ କଟକ, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜୟପୁର ଓ ରାଉରକେଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଲୋକଙ୍କ ଭିଡ଼ ଲାଗିରହିଛି। ଅନେକ ସ୍ଥାନରେ ରାତି ଅଧରୁ ତେଲ ପାଇଁ ଲୋକେ ଧାଡିରେ ଠିଆ ହେଉଥିବା ଦେଖାଯାଇଛି।
ପେଟ୍ରୋଲ ପମ୍ପ ଆଗରେ କିଲୋମିଟର ଲମ୍ବା ଲାଇନ୍ ଲାଗିଥିବା ବେଳେ ଘଣ୍ଟା ଘଣ୍ଟା ଧରି ଲୋକେ ପ୍ରବଳ ଖରାରେ ଅପେକ୍ଷା କରୁଛନ୍ତି। ଅନେକ ପମ୍ପରେ ‘ନୋ ଷ୍ଟକ୍’ ବୋର୍ଡ ଝୁଲୁଥିବାରୁ ଗ୍ରାହକମାନେ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଦୌଡୁଛନ୍ତି। ତେଲ ପାଇଁ ଗ୍ରାହକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।
ଏପରିକି ଏନଏଚ୍ ଉପରେ ମଧ୍ୟ ଗାଡ଼ିର ଲମ୍ବା ଲାଇନ୍ ଲାଗି ରହୁଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଇନ୍ଧନ ସଙ୍କଟକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ କେବେ ସ୍ଥିତି ସାମାନ୍ୟ ହେବ ସେନେଇ ସମସ୍ତଙ୍କ ନଜର ରହିଛି।


