
ଦେଶରେ ଦିନକୁ ଦିନ ଗଭୀର ହେଉଛି ତୈଳ ସଙ୍କଟ। ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଇନ୍ଧନ ଅଭାବ ଦେଖାଦେଇଥିବା ବେଳେ, ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ Narendra Modiଙ୍କ ଅପିଲ ପରେ ଦିଲ୍ଲୀ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।
ଦିଲ୍ଲୀରେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ସରକାରୀ ଅଫିସଗୁଡ଼ିକରେ ‘ୱାର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ Rekha Gupta ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ସହ ଇନ୍ଧନ ସଞ୍ଚୟ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ନିୟମ ପ୍ରଥମେ ତାଙ୍କ ନିଜ ଅଫିସରୁ ଆରମ୍ଭ ହେବ। ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ କାରକେଡରେ ଗାଡ଼ି ସଂଖ୍ୟା କମାଯାଇଛି। ପେଟ୍ରୋଲ ଓ ଡିଜେଲ ପାଇଁ ଦିଆଯାଉଥିବା ଭତ୍ତାରେ ୨୦ ପ୍ରତିଶତ କଟୋତି କରାଯାଇଛି। ଯେଉଁ ଅଧିକାରୀମାନେ ପ୍ରତିମାସ ୨୦୦ରୁ ୨୫୦ ଲିଟର ଇନ୍ଧନ ସୁବିଧା ପାଉଥିଲେ, ସେଥିରେ ମଧ୍ୟ ହ୍ରାସ କରାଯିବ।
ସେହିପରି, ସପ୍ତାହରେ ଗୋଟିଏ ଦିନ ‘ନୋ ଭେହିକଲ୍ ଡେ’ ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ, ଯେଉଁ ଅଧିକାରୀମାନେ ନିଜସ୍ୱ ଗାଡ଼ି ବଦଳରେ ସାର୍ବଜନୀନ ଯାତାୟାତ ବ୍ୟବହାର କରିବେ ସେମାନଙ୍କୁ ୧୦ ପ୍ରତିଶତ ଅତିରିକ୍ତ ଇନକ୍ରିମେଣ୍ଟ ଦିଆଯିବ।
ବସ୍ ରୁଟ୍ଗୁଡ଼ିକୁ ପୁନଃନିର୍ଦ୍ଧାରଣ କରାଯିବା ସହ ଅଧିକ ଲୋକଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟ ସହ ଯୋଡ଼ିବାକୁ ଚେଷ୍ଟା ହେବ। ଏହାସହ ୫୦ ପ୍ରତିଶତ ସରକାରୀ ବୈଠକକୁ ଭର୍ଚୁଆଲ୍ ମାଧ୍ୟମରେ କରାଯିବାକୁ ମଧ୍ୟ ଯୋଜନା ହୋଇଛି।



