
ବିହାରର ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ଦେଖାଯାଇଛି। ଦୀର୍ଘ ପ୍ରାୟ ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟକୁ ନେତୃତ୍ୱ ଦେଇଆସୁଥିବା ନୀତୀଶ କୁମାର ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୧୦ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାରଙ୍କ ଏହି ପଦତ୍ୟାଗ ସହ ବିହାର ରାଜନୀତିରେ ତାଙ୍କର ଦୀର୍ଘ ଯୁଗର ଅନ୍ତ ହୋଇଛି।
୭୯ ବର୍ଷୀୟ ନୀତୀଶ କୁମାର ରାଜ୍ୟପାଳ ସୟିଦ ଅଟଳ ହସନୈନଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଦେଇଥିବା ସୂଚନା ମିଳିଛି। ଏହାର ପୂର୍ବରୁ ସେ ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଏପ୍ରିଲ ୧୦ରେ ଶପଥ ନେଇଥିଲେ।
ଗତ ୫ ମାସ ପୂର୍ବରୁବିଜେପି ଓ ଜେଡିୟୁ ମେଣ୍ଟ ମେଣ୍ଟ ବିହାରରେ ରେକର୍ଡ ବିଜୟ ହାସଲ କରିଥିଲା। ଏହା ପରେ ନୀତୀଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଏବେ ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାହାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଡେପୁଟି ଭାବେ କାର୍ଯ୍ୟରତ ସମ୍ରାଟ ଚୌଧୁରୀ ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଜୋରଦାର। ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ବୋଲି କୁହାଯାଉଛି।
ନୀତୀଶ କୁମାରଙ୍କ ଏହି ନିଷ୍ପତ୍ତି ବିହାରର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି।



