ପାରାଦୀପରୁ ପଶ୍ଚିମବଙ୍ଗ ଭୋଟରଙ୍କ ବସ୍ ଯାତ୍ରା, ଜୀବନ ଜୋଖିମରେ ଶ୍ରମିକ

ପାରାଦୀପ: ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ରେ ହେବାକୁ ଥିବାବେଳେ ପାରାଦୀପରେ କାମ କରୁଥିବା ବଙ୍ଗୀୟ ଭୋଟରମାନଙ୍କୁ ବସ୍ରେ ନିଆଯାଉଥିବା ଦେଖିବାକୁ ମିଳିଛି। ବିଶେଷ କରି ନଦିୟା, ଦକ୍ଷିଣ ଓ ଉତ୍ତର ଚବିଶ ପରଗଣା ସହିତ ପୂର୍ବ ବର୍ଦ୍ଧମାନ ଜିଲ୍ଲାକୁ ଶ୍ରମିକମାନେ ବହୁ ସଂଖ୍ୟାରେ ଯାଉଛନ୍ତି।
ସୂଚନା ଅନୁଯାୟୀ, ପାରାଦୀପ ଓ ଆଖପାଖ ଅଞ୍ଚଳରେ କାମ କରୁଥିବା ମତ୍ସ୍ୟଜୀବୀ ଓ ବିଭିନ୍ନ କାରଖାନାର ଶ୍ରମିକମାନେ ଭୋଟ ଦେବା ପାଇଁ ନିଜ ରାଜ୍ୟକୁ ଫେରୁଛନ୍ତି। ବସ୍ରେ ସିଟ୍ ଅଭାବ ହେତୁ ଅନେକେ ବସ୍ ଉପରେ ଚଢ଼ି ବିପଜ୍ଜନକ ଭାବେ ଯାତ୍ରା କରୁଥିବା ଚିତ୍ର ସାମ୍ନାକୁ ଆସିଛି।
ପ୍ରଥମ ପର୍ଯ୍ୟାୟରେ ୯୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଅଧିକ ଭୋଟିଂ ଲକ୍ଷ୍ୟରେ ଏହି ପ୍ରୟାସ ଚାଲିଛି। ଏହି ପରିପ୍ରେକ୍ଷିରେ ଦେଶର ବିଭିନ୍ନ ରାଜ୍ୟରେ କାମ କରୁଥିବା ବଙ୍ଗୀୟ ଲୋକମାନଙ୍କୁ ଫେରାଇ ନିଆଯାଉଛି।
କେତେକ ସ୍ଥାନରୁ ରାଜନୈତିକ ଦଳମାନେ ବସ୍ ବ୍ୟବସ୍ଥା କରି ଶ୍ରମିକମାନଙ୍କୁ ନେଉଥିବା ସୂଚନା ମିଳିଛି। କୋଲକାତା, ଦୀଘା, କାନ୍ଥି ରୁଟ୍ରେ ଚାଲୁଥିବା ବସ୍ଗୁଡ଼ିକରେ ଅତ୍ୟଧିକ ଭିଡ଼ ଦେଖାଯାଇଛି।
ଏହି ପରିସ୍ଥିତିରେ ବସ୍ ଉପରେ ଯାତ୍ରା କରିବା ଫଳରେ ବିଦ୍ୟୁତ ତାର ସଂସ୍ପର୍ଶ, ଗଛ କିମ୍ବା ପୁଲ୍ ସହ ଧକ୍କା ଲାଗି ଦୁର୍ଘଟଣାର ଆଶଙ୍କା ବଢ଼ିଛି। ତଥାପି ଆରଟିଓ କିମ୍ବା ପ୍ରଶାସନ ପକ୍ଷରୁ ଯଥେଷ୍ଟ ଯାଞ୍ଚ ହେଉନଥିବାରୁ ଶ୍ରମିକମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।
ଏହି ପରିସ୍ଥିତିରେ ଯଦି କୌଣସି ଅଘଟଣ ଘଟେ, ତାହାର ଦାୟିତ୍ୱ କିଏ ନେବେ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।



