ମୋଦୀଙ୍କ ସଭା ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା, ବୋମାମାଡ଼ ଓ ଗୁଳିଚାଳନା

କୋଲକାତା:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋମବାରର ସାଧାରଣ ସଭା ପୂର୍ବରୁ ରବିବାର ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ଭୟାବହ ହିଂସାକାଣ୍ଡ ଘଟିଛି। ଜଗଦ୍ଦଲ ପୋଲିସ ଷ୍ଟେସନ ସମ୍ମୁଖରେ ତୃଣମୂଳ କଂଗ୍ରେସ (ଟି ଏମ୍ ସି ) ଓ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥକଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇ ପଥର ଫିଙ୍ଗା, ବୋମାମାଡ଼ ଓ ଗୁଳିଚାଳନା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଲଗାଯାଇଥିବା ପତାକା ଓ ପୋଷ୍ଟର ଚିରିବାକୁ କେନ୍ଦ୍ର କରି ଏହି ବିବାଦ ଆରମ୍ଭ ହୋଇଥିଲା। ଉଭୟ ପକ୍ଷର ଅଭିଯୋଗ-ପ୍ରତ୍ୟାରୋପ ପରେ ସମର୍ଥକମାନେ ଥାନା ବାହାରେ ଜମାହୋଇଥିଲେ ଏବଂ ପରେ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା।
ଏହି ସମୟରେ ଭାଟପାରା ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ପବନ ସିଂହଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ଖବର ମିଳିଛି। ଘଟଣାରେ ତିନିଜଣ ଆହତ ହୋଇଥିବାବେଳେ ଜଣେ ସିଆଇଏସଏଫ୍ ଯବାନଙ୍କ ଗୋଡରେ ଗୁଳି ବାଜିଥିବା ଦାବି କରାଯାଇଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଜେପି ପ୍ରାର୍ଥୀ ପବନ ସିଂହ ଅଭିଯୋଗ କରିଛନ୍ତି ଯେ ପଥପ୍ରାନ୍ତ ସଭା ସମୟରେ ଟି ଏମ୍ ସି କର୍ମୀମାନେ ତାଙ୍କ କାର୍ଯ୍ୟକ୍ରମକୁ ବାଧା ଦେଇଥିଲେ ଏବଂ ପରେ ଆକ୍ରମଣ କରିଥିଲେ। ଅନ୍ୟପଟେ ଟି ଏମ୍ ସି ପ୍ରାର୍ଥୀ ଅମିତ ଗୁପ୍ତା ସମସ୍ତ ଅଭିଯୋଗ ଖଣ୍ଡନ କରି ବିଜେପି କର୍ମୀମାନଙ୍କୁ ଦୋଷାରୋପ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସଭାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି। ଜଗଦ୍ଦଲ ଓ ଭାଟପାରା ଅଞ୍ଚଳରେ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି।



