
ନୂଆଦିଲ୍ଲୀ: ସିବିଏସି (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଏହା ସହିତ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଶେଷ ହୋଇଛି।
ଛାତ୍ରଛାତ୍ରୀମାନେ cbse.gov.in, results.cbse.nic.in ଓ results.digilocker.gov.in ସହିତ UMANG ଆପ୍ ମାଧ୍ୟମରେ ନିଜର ପରୀକ୍ଷା ଫଳ ଯାଞ୍ଚ କରିପାରିବେ।
ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୫ ଲକ୍ଷ ପରୀକ୍ଷାର୍ଥୀ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ, ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଗୋଟିଏ ସିଫ୍ଟରେ, ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।
ପାସ୍ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବିଷୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସହିତ ଅତି କମରେ ୩୩% ଏବଂ ସାମଗ୍ରିକ ଭାବରେ ୩୩% ନମ୍ବର ରଖିବା ଆବଶ୍ୟକ।
ଏହିବର୍ଷର ଏକ ବଡ଼ ପରିବର୍ତ୍ତନ ହେଲା, ସିବିଏସି ପକ୍ଷରୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ଫଳରେ ପ୍ରଥମ ପରୀକ୍ଷାର ଫଳ ଶୀଘ୍ର ପ୍ରକାଶ କରାଯାଇଛି।
ସୂଚନାଯୋଗ୍ୟ, ଦ୍ୱିତୀୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା ମେ’ ୧୫ରୁ ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀ ନିଜ ଫଳକୁ ଆହୁରି ଭଲ କରିବାକୁ ଚାହିବେ, ସେମାନେ ଏହି ଦ୍ୱିତୀୟ ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।
ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଆହୁରି ଏକ ସୁଯୋଗ ଦେବା ସହିତ ତାଙ୍କ ଶିକ୍ଷାଗତ ଉନ୍ନତିରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।



