
କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କ ପାଇଁ ଖୁସି ଖବର । ଦୀପାବଳି ଉପଲକ୍ଷେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତାଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ କ୍ୟାବିନେଟ୍ ବୈଠକରେ ଏ ନେଇ ମଞ୍ଜୁରୀ ମିଳିବା ପରେ ଏଣିକି ୩୧ ପ୍ରତିଶତ DA ପାଇବେ କେନ୍ଦ୍ରୀୟ କର୍ମଚାରୀ । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ ଉପଭୋକ୍ତା ଏହାର ଫାଇଦା ପାଇବେ ।
ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧିକରି ତାହାକୁ ୨୮ ପ୍ରତିଶତ କରିଥିଲେ । ଏହା ପୂର୍ବରୁ DA ୧୭ ପ୍ରତିଶତ ମିଳୁଥିଲା । ଏବେ ଆଉ ୩ ପ୍ରତିଶତ ଯୋଡାଯିବା ପରେ ଏଣିକି ୩୧ ପ୍ରତିଶତ DA ପାଇବେ କେନ୍ଦ୍ରୀୟ କର୍ମଚାରୀ । ମହଙ୍ଗା ଭତ୍ତା ବଢିବା ଫଳରେ ଅନ୍ୟ ସୁବିଧାଗୁଡିକରେ ମଧ୍ୟ ଫାଇଦା ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ । ଟ୍ରାଭେଲ୍ ଆଲୋଏନ୍ସ ଏବଂ ସିଟି ଆଲୋଏନ୍ସ ବୃଦ୍ଧି ପାଇବା ସହିତ ଅବସର ପରେ ପ୍ରୋଭିଟେଣ୍ଟ ଫଣ୍ଡ ଏବଂ ଗ୍ରାଚ୍ୟୁଟି ମଧ୍ୟ ବୃଦ୍ଧି ପାଇବ । ଉଦାହରଣ ସ୍ବରୂପ କେନ୍ଦ୍ର କର୍ମଚାରୀଙ୍କ ନ୍ୟୁନତମ ଦରମା ୧୮ ହଜାର ଟଙ୍କା ହେଲେ ତାଙ୍କର ନୂଆ ମହଙ୍ଗା ଭତ୍ତା ୫୫୮୦ (୩୧ପ୍ରତିଶତ) ଟଙ୍କା ରହିବ । ପୂର୍ବରୁ ୨୮ ପ୍ରତିଶତ ହିସାବରେ ୫୦୪୦ ଟଙ୍କା ମିଳୁଥିଲା । ସେହିପରି ହିସାବ କରିବାକୁ ଗଲେ କେନ୍ଦ୍ର କର୍ମଚାରୀଙ୍କ ବାର୍ଷିକ ଦରମାରେ ୬୪୮୦ ଟଙ୍କା ବୃଦ୍ଧି ଘଟିବ ।