
ଭୁବନେଶ୍ୱର: ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଜଗା ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ସୁଗମ ଓ ସୁବିଧାଜନକ କରିବା ପାଇଁ ସରକାର ନୂତନ ବ୍ୟବସ୍ଥା ଆଣିବାକୁ ଉଦ୍ୟମ କରୁଛି। ଏହି ଯୋଜନା ଅନୁସାରେ, ଶ୍ରଦ୍ଧାଳୁମାନେ ପୂର୍ବରୁ ସ୍ଲଟ୍ ବୁକିଂ କରି ନିର୍ଦ୍ଧିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ତେବେ ପାରମ୍ପରିକ ଧାଡ଼ି (ଲାଇନ୍) ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଜାରି ରଖାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉଭୟ ବ୍ୟବସ୍ଥାକୁ ସମନ୍ୱୟ କରି ଶ୍ରଦ୍ଧାଳୁମାନଙ୍କୁ ସୁବିଧା ଦେବା ଲକ୍ଷ୍ୟ ରହିଛି।
ପ୍ରଥମେ ଏହି ସ୍ଲଟ୍ ବୁକିଂ ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ପ୍ରାରମ୍ଭିକ ଆଲୋଚନା ହୋଇସାରିଛି। ମ୍ୟାନେଜିଂ କମିଟିର ବୈଠକରେ ଆଲୋଚନା ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ।
ଏହାସହିତ, ମନ୍ଦିରର ନାଟମଣ୍ଡପକୁ ଏୟାର କଣ୍ଡିସନିଙ୍ଗ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଧାଡ଼ି ଦର୍ଶନ ପାଇଁ ପ୍ରସ୍ତୁତ ରାମ୍ପକୁ ମଧ୍ୟ ଖୁବ୍ ଶୀଘ୍ର ଲାଗୁ କରାଯିବ।
ସରକାର ଏମିତି ଏକ ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛନ୍ତି, ଯାହା ମାଧ୍ୟମରେ ଏକ ସମୟରେ ପ୍ରାୟ ୪,୫୦୦ରୁ ୫,୦୦୦ ଶ୍ରଦ୍ଧାଳୁ ସୁବିଧାଜନକ ଭାବେ ଦର୍ଶନ କରିପାରିବେ।
ଏହି ନୂତନ ପଦକ୍ଷେପ ଦ୍ୱାରା ଶ୍ରଦ୍ଧାଳୁମାନଙ୍କ ଭିଡ଼ ନିୟନ୍ତ୍ରଣ ସହ ଦର୍ଶନ ପ୍ରକ୍ରିୟାକୁ ଅଧିକ ସୁସଂଘଟିତ କରାଯିବ ବୋଲି ଆଶା କରାଯାଉଛି।


