ଟେଣ୍ଟ୍ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ପାଟୁଆ ମୃତ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ- ଟେଣ୍ଟ୍ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ପାଟୁଆ ମୃତ। ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲ ଗାଁରେ ଅଭାବନୀୟ ଘଟଣା। ଟେଣ୍ଟର ଷ୍ଟିଲ୍ ବାର୍ ୧୧ କେଭି ବିଦ୍ୟୁତ ତାର ଛୁଇଁବାରୁ ଅଘଟଣ ଘଟିଛି ।
ଟେଣ୍ଟର ଷ୍ଟିଲ ବାର ୧୧ କେଭି ତାରରେ ଲାଗିଯିବାରୁ ୫ ଜଣ ଦଣ୍ଡୁଆ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ବିଡୋ ଗାଁର ମିଳନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ହିନ୍ଦୋଳ ପାଟଲା ଗାଁରେ ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତକଙ୍କ ପାଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ସ୍ଥାନୀୟ ଲୋକେ । ପୁରୁଣା କଟକ-ସମ୍ବଲପୁର ରାସ୍ତାର ସାତମାଇଲି ନିକଟରେ ରାସ୍ତାରୋକ । ବାଲିମି ଥାନା ପାଟଲା ଗାଁରେ ବିଦ୍ୟୁତ୍ ଆଘାତରେ ୩ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଥିଲା ।
ଢେଙ୍କାନାଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ପ୍ରାଣହାନୀକୁ ନେଇ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।



