ଓଭରଟାଇମ୍ରେ ଦୁଇଗୁଣ ମଜୁରୀ, ବ୍ୟାଙ୍କ ଖାତାକୁ ସିଧାସଳଖ ଦରମା
ୟୁପିରେ ନୂତନ ଶ୍ରମ ନୀତି

ଉତ୍ତର ପ୍ରଦେଶ: ଯୋଗୀ ଅଦିତ୍ୟନାଥ ନେତୃତ୍ୱରେ ସରକାର ଶ୍ରମିକମାନଙ୍କ ହିତ ପାଇଁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବିଶେଷକରି ନୋଏଡା ଓ ଆଖପାଖ ଶିଳ୍ପ ଅଞ୍ଚଳର ଶ୍ରମିକମାନେ ଏହି ନୂତନ ଶ୍ରମ ନୀତିରୁ ସିଧାସଳଖ ଲାଭ ପାଇବେ।
ନୂଆ ନିୟମ ଅନୁଯାୟୀ, ଯଦି ଶ୍ରମିକମାନେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ କାମ କରନ୍ତି, ତେବେ ସେମାନେ ଏବେ ସାଧାରଣ ମଜୁରୀର ଦୁଇଗୁଣ ଓଭରଟାଇମ୍ ପାଇବେ। ଶ୍ରମିକମାନଙ୍କ କଠିନ ପରିଶ୍ରମକୁ ଯଥୋଚିତ ସ୍ୱୀକୃତି ଦେବା ପାଇଁ ସରକାର ଏହି ପଦକ୍ଷେପ ନେଇଛି।
ଏହାସହିତ ଶ୍ରମିକମାନଙ୍କ ଦରମା ଏବେ ସିଧାସଳଖ ତାଙ୍କର ବ୍ୟାଙ୍କ ଖାତାକୁ ପଠାଯିବ। ଏହା ଦ୍ୱାରା ପ୍ରଣାଳୀରେ ସ୍ୱଚ୍ଛତା ବୃଦ୍ଧି ପାଇବ ଓ ମଧ୍ୟସ୍ଥିଙ୍କ ଭୂମିକା କମିବ। ଏହା ସହିତ ଶ୍ରମିକମାନେ ସମୟରେ ଦରମା ପାଇବେ, ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେକୌଣସି କମ୍ପାନୀ ଏହି ନିୟମ ଉଲ୍ଲଂଘନ କଲେ ତାହାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ମହିଳାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସମସ୍ତ କମ୍ପାନୀକୁ ଯୌନ ନିର୍ଯାତନା ମାମଲାର ସମାଧାନ ପାଇଁ ଜଣେ ମହିଳା ସଦସ୍ୟଙ୍କ ନେତୃତ୍ୱରେ ଆଭ୍ୟନ୍ତରୀଣ କମିଟି ଗଠନ କରିବା ଅନିବାର୍ୟ କରାଯାଇଛି।
ଏହାସହିତ କାର୍ଯ୍ୟସ୍ଥଳରେ ଅଭିଯୋଗ କମିଟି ପ୍ରତିଷ୍ଠା, ନିୟନ୍ତ୍ରଣ କକ୍ଷ ସୃଷ୍ଟି ଓ ଶ୍ରମିକମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଶ୍ରମିକମାନେ ଏହା ମାଧ୍ୟମରେ ସହଜରେ ନିଜ ଅଭିଯୋଗ ପଞ୍ଜିକରଣ କରିପାରିବେ ଓ ସରକାର ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।



