Breaking PLUSବ୍ୟକ୍ତିତ୍ୱମୁଖ୍ୟ ଖବର

ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ଅନ୍ୟତମ ପ୍ରସିଦ୍ଧ ଫଟୋଗ୍ରାଫର ରଘୁ ରାୟଙ୍କର ପରଲୋକ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ତାଙ୍କ ପୁଅ ନୀତିନ ରାୟଙ୍କ ଅନୁସାରେ, ଦୁଇ ବର୍ଷ ପୂର୍ବେ ସେ ପ୍ରୋଷ୍ଟେଟ୍ କର୍କଟରେ ପୀଡ଼ିତ ହୋଇଥିଲେ, ପରେ ଏହା ଠିକ୍ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କର୍କଟ ତାଙ୍କ ପେଟ ଏବଂ ପରେ ମସ୍ତିଷ୍କକୁ ବ୍ୟାପିଥିଲା। ବୟସଜନିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଜଟିଳ ହୋଇପଡ଼ିଥିଲା।

ରଘୁ ରାୟଙ୍କ ପରିବାରରେ ସ୍ତ୍ରୀ ଗୁରମିତ୍, ପୁଅ ନୀତିନ ଓ ଝିଅ ଲଗନ୍ ଅଛନ୍ତି। ଆଜି ନୂଆଦିଲ୍ଲୀର ଲୋଧି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବାକୁ ଯାଉଛି।

୧୯୪୨ ମସିହାରେ ପଞ୍ଜାବର ଝାଙ୍ଗରେ ଜନ୍ମଗ୍ରହଣ କରିଥିବା ରଘୁ ରାୟ ତାଙ୍କ ବଡ଼ ଭାଇ ଏସ. ପାଉଲଙ୍କଠାରୁ ଫଟୋଗ୍ରାଫି ଶିଖିଥିଲେ। ୧୯୬୦ ଦଶକରେ ସେ “ଦି ଷ୍ଟେଟସମ୍ୟାନ” ପତ୍ରିକାରେ ଫଟୋଗ୍ରାଫର ଭାବେ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ। ପରେ ୧୯୭୬ ମସିହାରେ ସେ “ରବିବାର” ସାପ୍ତାହିକରେ ଚିତ୍ର ସମ୍ପାଦକ ଭାବେ ଯୋଗଦେଇଥିଲେ।

ତାଙ୍କ ଦୀର୍ଘ କ୍ୟାରିଅରରେ ସେ ଅନେକ ଐତିହାସିକ ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ବିଶେଷକରି ଭୋପାଳ ଗ୍ୟାସ ଟ୍ରାଜେଡି ସମୟର ତାଙ୍କ ଫଟୋଗ୍ରାଫ୍‌ଗୁଡ଼ିକ ବିଶ୍ୱସ୍ତରରେ ଖୁବ ଚର୍ଚ୍ଚିତ ହୋଇଥିଲା।

ଫଟୋଗ୍ରାଫର ଭାବେ ସହିତ ସେ ଜଣେ ସୁଖ୍ୟାତ ଲେଖକ ମଧ୍ୟ ଥିଲେ। ଭାରତର ଲୋକଜୀବନ, ସଂସ୍କୃତି ଓ ସହରକୁ ଆଧାର କରି ସେ ୧୮ରୁ ଅଧିକ ପୁସ୍ତକ ରଚନା କରିଥିଲେ। ତାଙ୍କ କାର୍ଯ୍ୟ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ସ୍ୱୀକୃତି ଲାଭ କରିଥିଲା।

୧୯୭୨ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧର କଭରେଜ୍ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ତାଙ୍କ ଅକାଳ ବିୟୋଗ ଭାରତୀୟ ଫଟୋଗ୍ରାଫି ଜଗତ ପାଇଁ ଏକ ବଡ଼ କ୍ଷତି ଭାବେ ଦେଖାଯାଉଛି।

Show More

Related Articles

Back to top button