ସୁଧୀର ପାତ୍ର ହତ୍ୟାକାଣ୍ଡ: କ୍ରାଇମସିନ୍ ରିକ୍ରିଏସନ୍, ୫ ଅଭିଯୁକ୍ତଙ୍କୁ ନେଇ ପୁଲିସର ତଦନ୍ତ

ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ପୁଲିସ ତଦନ୍ତକୁ ଆହୁରି ଗତି ଦେଇଛି। ଆଜି ପୁଲିସ ରିମାଣ୍ଡରେ ଥିବା ୫ ଅଭିଯୁକ୍ତ—ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି।
ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆକୁ ଅଭିଯୁକ୍ତମାନଙ୍କୁ ନିଆଯାଇଥିଲା, ଯେଉଁଠାରେ ସୁଧୀର ପାତ୍ର ପ୍ରତିଦିନ ଭଲିବଲ ଖେଳୁଥିଲେ। ସେଠାରୁ ତାଙ୍କୁ କିପରି ଅପହରଣ କରାଯାଇଥିଲା ଓ ପରେ କେଉଁ କେଉଁ ସ୍ଥାନକୁ ନେଇ ନିର୍ମମ ଭାବେ ପିଟି ହତ୍ୟା କରାଯାଇଥିଲା, ତାହା ଅଭିଯୁକ୍ତମାନେ ପୁଲିସକୁ ଦେଖାଇଥିଲେ। ପୁଲିସ ସେହି ସ୍ଥାନଗୁଡ଼ିକରେ ଅଧିକ ଛାନବିନ୍ କରୁଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କରପଲ୍ଲୀ ଗାଁର ବାସିନ୍ଦା ସୁଧୀର ପାତ୍ରଙ୍କୁ ଏପ୍ରିଲ ୧୫ ତାରିଖରେ ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ଅପହରଣ କରାଯାଇଥିଲା। ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ଏବଂ ସାତ ଦିନ ପରେ ଜଙ୍ଗଲରୁ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଥିଲା।
ତଦନ୍ତରେ ଚମକପୂର୍ଣ୍ଣ ସତ୍ୟ ପ୍ରକାଶ ପାଇଥିଲା ଯେ, ଏହି ଘଟଣାର ମାଷ୍ଟରମାଇଣ୍ଡ ତାଙ୍କ ନିଜ ପରିବାରର ଲୋକ ଥିଲେ। ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ତାଙ୍କ ପ୍ରେମିକ କାଳୁ ପ୍ରଧାନ ଓ ପୁତୁରା ତୁଷାର ପାତ୍ର ମିଶି ଏହି ଷଡ଼ଯନ୍ତ୍ର ରଚିଥିଲେ। ଜମି ବିବାଦ ଓ ଅର୍ଥଲୋଭ ଏହାର ପ୍ରମୁଖ କାରଣ ବୋଲି ପୁଲିସ କହିଛି।
ଯୋଜନା ଅନୁଯାୟୀ, ସୁଧୀରଙ୍କୁ ଅପହରଣ କରି ପରିବାର ପାଖରୁ ୨ କୋଟି ଟଙ୍କା ମୁକ୍ତିପଣ ମାଗିବା ଉଦ୍ଦେଶ୍ୟ ଥିଲା। ଏହି ପାଇଁ ବିହାରରୁ ପେସାଦାର ସୁପାରୀ କିଲର୍ ସୂର୍ଯ୍ୟପ୍ରତାପ ସିଂହ ଓ ତାଙ୍କ ଗ୍ୟାଙ୍ଗକୁ ୧ କୋଟି ଟଙ୍କାର ଡିଲ୍ କରାଯାଇଥିଲା। ବାକି ୧ କୋଟି ଟଙ୍କା ପରିବାର ସଦସ୍ୟମାନେ ବାଣ୍ଟିନେବାକୁ ଯୋଜନା କରିଥିଲେ।
ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ବିହାରର ସୁଟର୍ ଓ ପରିବାର ସଦସ୍ୟଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଅନ୍ୟ କୌଣସି ସଂପୃକ୍ତ ଥିଲେ ସେମାନଙ୍କୁ ମଧ୍ୟ ଆଇନରେ ଆଣିବାକୁ ପୁଲିସ କହିଛି।



