ଚତୁର୍ଥ ଦିନରେ ବି ଗୃହ ଅଚଳ, MMDR ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ହଙ୍ଗାମା

ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ସ୍ୱାଭାବିକ ହୋଇପାରିନାହିଁ ଗୃହକାର୍ଯ୍ୟ। ଶୁକ୍ରବାର ଗୃହ ଆରମ୍ଭରୁ ବିରୋଧୀ ବିଧାୟକମାନେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଉଠାଇ ହୋ-ହଲ୍ଲା କରିଥିଲେ। ନାରାବାଜି ଯୋଗୁଁ ପ୍ରଶ୍ନକାଳ ମଧ୍ୟ ପ୍ରଭାବିତ ହୋଇଥିଲା।
ଗତକାଲି ଭଳି ଆଜି ମଧ୍ୟ କଂଗ୍ରେସ ବିଧାୟକମାନେ ଏମ୍ଏମ୍ଡିଆର୍ ସଂଶୋଧନ ସମ୍ପର୍କିତ ପୋଷ୍ଟର ପିନ୍ଧି ଗୃହରେ ପ୍ରବେଶ କରିଥିଲେ। ପରେ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବିଲ୍ ସମ୍ପର୍କରେ ସରକାରଙ୍କଠାରୁ ସ୍ପଷ୍ଟ ଜବାବ ଦାବି କରିଥିଲେ।
ବିଜେଡି ବିଧାୟକମାନେ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରି ନାରାବାଜି କରିଥିଲେ। ଏଥିସହ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ। ହଙ୍ଗାମା ଯୋଗୁଁ ଶୂନ୍ୟକାଳ ମଧ୍ୟ ହୋଇପାରିନଥିଲା।
ମାତ୍ର ୪ ମିନିଟ୍ ଗୃହ ଚାଲିବା ପରେ ଉପବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସର ପରିକ୍ରମା କରିବା ସହ ବିଭିନ୍ନ ଛକରେ ଏମ୍ଏମ୍ଡିଆର୍ ସଂଶୋଧନ ଯୋଗୁଁ ଓଡ଼ିଶାର ସମ୍ଭାବ୍ୟ କ୍ଷତି ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ। ଏଥିସହ ସେମାନଙ୍କ ପକ୍ଷରୁ ପୋଷ୍ଟର ମଧ୍ୟ ବଣ୍ଟନ କରାଯାଇଥିଲା।



