ଭାରତର ବିକାଶ ଦେଖିପାରୁନାହାନ୍ତି କିଛି ଲୋକ: ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭାରତର ଅର୍ଥନୈତିକ ପ୍ରଗତିକୁ ନେଇ ମନ୍ତବ୍ୟ ଦେଇ ଶାହ କହିଛନ୍ତି, ଯେଉଁମାନଙ୍କ ମାନସିକତା ମୃତ, ସେମାନେ ଦେଶର ସମୃଦ୍ଧିକୁ ଦେଖିପାରନ୍ତି ନାହିଁ। ସେମାନଙ୍କୁ ନିଜ ଚାରିପାଖରେ କେବଳ ନିର୍ଜୀବତା ହିଁ ଦେଖାଯାଏ।
ଉତ୍ତରପ୍ରଦେଶରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ-୨୦୨୬ରେ ଉଦ୍ବୋଧନ ଦେଇ ଶାହ କହିଥିଲେ, କିଛି ଲୋକ ଭାରତର ଜିଡିପି ଅଭିବୃଦ୍ଧିକୁ କମ୍ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ମୁଡିଜ୍ ପକ୍ଷରୁ ଭାରତର ଅଭିବୃଦ୍ଧି ପୂର୍ବାନୁମାନ ୬ ପ୍ରତିଶତରୁ ୭ ପ୍ରତିଶତକୁ ବଢ଼ାଯାଇଥିବା ଉଲ୍ଲେଖ କରି ସେ କହିଥିଲେ, ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ନିଜ ଅର୍ଥନୈତିକ ଅଭିବୃଦ୍ଧିକୁ ବଜାୟ ରଖିଛି।
ଶାହ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜନୈତିକ ସ୍ଥିରତା, ନୀତିର ନିରନ୍ତରତା ଏବଂ ପ୍ରଭାବୀ କାର୍ଯ୍ୟାନ୍ୱୟନ ଭାରତକୁ ବିଶ୍ୱର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି।



