ରାମ ମନ୍ଦିର ଦାନ ଟଙ୍କା ଚୋରି
୮ ଅଭିଯୁକ୍ତଙ୍କ ବିରୋଧରେ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍

ଅଯୋଧ୍ୟା: ରାମ ମନ୍ଦିର ଦାନ ଟଙ୍କା ଚୋରି ମାମଲାରେ ଉତ୍ତରପ୍ରଦେଶ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିସିଟିଭି ଫୁଟେଜ୍, ମୋବାଇଲ୍ ଚାଟ୍, କଲ୍ ଡିଟେଲ୍ ରେକର୍ଡ, ବ୍ୟାଙ୍କ କାରବାର ଓ ଜବତ ଟଙ୍କାକୁ ପ୍ରମୁଖ ପ୍ରମାଣ ଭାବେ ଦର୍ଶାଯାଇଛି।
ଏସ୍ଆଇଟି ଅନୁସାରେ, ଅଭିଯୁକ୍ତମାନେ ମିଳିତ ଭାବେ ୧୦୫ରୁ ଅଧିକ ଥର ଦାନ ଟଙ୍କା ହଟାଇବା କିମ୍ବା ଲୁଚାଇବାରେ ସମ୍ପୃକ୍ତ ଥିଲେ। ଏହି ମାମଲାରେ ୭୯.୮୫ ଲକ୍ଷ ଟଙ୍କାରୁ ଅଧିକ ଅପରାଧରୁ ଉପାର୍ଜିତ ଅର୍ଥ ଚିହ୍ନଟ ହୋଇଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ଅଭିଯୁକ୍ତମାନେ ନିୟମିତ ପରସ୍ପର ସହ ଯୋଗାଯୋଗରେ ଥିବା କଲ୍ ଡିଟେଲ୍ ରେକର୍ଡରୁ ଜଣାପଡ଼ିଥିବା ତଦନ୍ତକାରୀମାନେ କହିଛନ୍ତି।
ସିସିଟିଭି ଫୁଟେଜ୍ ଅନୁସାରେ, ଅବିନାଶ ଶୁକ୍ଲା ୮୫ ଥର ଟଙ୍କା ହଟାଉଥିବା ଦେଖାଯାଇଛି। କରୁଣେଶ ପାଣ୍ଡେ ୨ ଥର ଟଙ୍କା ନେବା ସହ ଅନ୍ୟମାନଙ୍କୁ ୬୮ ଥର ସହାୟତା କରିଥିବା ଦର୍ଶାଯାଇଛି। ମନୀଷ ଯାଦବ ୧୬ ଥର ଟଙ୍କା ହଟାଇବା ସହ ୧୯ ଥର ସହଯୋଗ କରିଥିବା ବେଳେ ଲବକୁଶ ମିଶ୍ର ଥରେ ଟଙ୍କା ନେବା ଓ ୫୨ ଥର ସହାୟତା କରିଥିବା ଅଭିଯୋଗ ରହିଛି।
ଚାର୍ଜସିଟ୍ରେ ଆହୁରି ଦର୍ଶାଯାଇଛି ଯେ, ଚୋରି ଟଙ୍କାରେ ଗାଡ଼ି, ଜମି ଓ ଘର କିଣାଯାଇଥିଲା। ଅଭିଯୁକ୍ତଙ୍କଠାରୁ ଅଳଙ୍କାର ମଧ୍ୟ ଜବତ ହୋଇଛି। ଦାନ ଟଙ୍କାର ହେରଫେର ନେଇ ଫୋରେନସିକ୍ ଅଡିଟ୍ ମଧ୍ୟ କରାଯାଇଥିଲା।
ରାମ ଶଙ୍କର ଯାଦବ ଓରଫ ଟିନ୍ନୁ, ରାମଶଙ୍କର ମିଶ୍ର, ମନୀଷ ଯାଦବ, ଅନୁକଳ୍ପ ମିଶ୍ର, ଅବିନାଶ ଶୁକ୍ଲା, କରୁଣେଶ ପାଣ୍ଡେ, ଲବକୁଶ ମିଶ୍ର ଓ ସୁଭାଷ ଶ୍ରୀବାସ୍ତବଙ୍କ ବିରୋଧରେ ଏହି ମାମଲା ରହିଛି। ଏସ୍ଆଇଟି ପକ୍ଷରୁ ଅଯୋଧ୍ୟାର ଅତିରିକ୍ତ ଜିଲ୍ଲା ଜଜ୍ (ଦୁର୍ନୀତି ନିରୋଧ) ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଛି।



