ଦୁର୍ଘଟଣାମୁଖ୍ୟ ଖବର

ସମ୍ବଲପୁରରେ ପ୍ରଥମ ଅଂଶୁଘାତ ମୃତ୍ୟୁ

 

ସମ୍ବଲପୁର: ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ତାପ ମଧ୍ୟରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟିଥିବା ଅଭିଯୋଗ ଶନିବାର ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ବିଶ୍ୱଜିତ ସାହୁ ଏହି ଘଟଣାରେ ପ୍ରାଣ ହାରାଇଛନ୍ତି।

ସୂଚନାନୁସାରେ, ସେ ଆଜି ସକାଳ ପ୍ରାୟ ୯ଟା ସମୟରେ କାମକୁ ଯାଇଥିଲେ। କାମ କରୁଥିବା ବେଳେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ସଦସ୍ୟମାନେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଥିବା ବେଳେ ଗ୍ରାମବାସୀମାନେ ମଧ୍ୟ ସେହି ଦାବି କରିଛନ୍ତି। ଏହା ପରେ ସରକାରଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

ଅନ୍ୟପଟେ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ହୋଇଛି ଏବଂ ବ୍ୟବଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ସେ ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକ ନହେଲେ ତୀବ୍ର ଖରାରେ ବାହାରିବାରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ବିଗତ କିଛି ଦିନ ଧରି ସମ୍ବଲପୁର ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌ରୁ ଅଧିକ ରହିଥିବାରୁ ଅଂଶୁଘାତ ଆଶଙ୍କା ବଢ଼ିଛି।

Show More

Related Articles

Back to top button