
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଓଡ଼ିଶାର କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ଗତ ୨୪ ଘଣ୍ଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଏଥିରେ କଳାହାଣ୍ଡିର ଥୁଆମୂଳ ରାମପୁରରେ ସର୍ବାଧିକ ୩୪୫ ମିମି ବର୍ଷା ରେକର୍ଡ ହୋଇଛି।
ଏସ୍ଆର୍ସି କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ, ରାୟଗଡ଼ାର ଗୁଣପୁରରେ ୨୬୦ ମିମି, କାଶୀପୁରରେ ୨୧୨ ମିମି ଏବଂ କଳାହାଣ୍ଡିର ଜୟପାଟଣାରେ ୨୦୦ ମିମି ବର୍ଷା ହୋଇଛି।
ଏପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟ ଉତ୍ତର ବଙ୍ଗୋପସାଗରରେ ଥିବା ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ ସୃଷ୍ଟି ହୋଇଛି।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟ ୨୩ ତାରିଖ ସକାଳ ୫ଟା ୩୦ ମିନିଟ୍ରେ ଲଘୁଚାପଟି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ଦିନଗୁଡ଼ିକରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ତୀବ୍ରତା ବଢ଼ିପାରେ।



