
ଭୁବନେଶ୍ୱର: ରାଜ୍ୟରେ ଜମି ରେକର୍ଡିଂ ପ୍ରକ୍ରିୟାକୁ ସରଳ ଓ ପାରଦର୍ଶୀ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ନୂତନ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ଚାଲୁଥିବା ଷ୍ଟାଣ୍ଡାର୍ଡ୍ ଅପରେଟିଙ୍ଗ ପ୍ରୋସିଜିଅର୍ (SOP) କୁ ପୁନର୍ବିଚାର କରି ସଂଶୋଧନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଦୀର୍ଘ ୩୪ ବର୍ଷ ପରେ SOPର ସମଗ୍ର ସଂଶୋଧନ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। ଶେଷଥର ୧୯୯୦ରେ ପ୍ରକାଶିତ SOP ବର୍ତ୍ତମାନର ପରିବର୍ତ୍ତିତ ନୀତି ଓ ପ୍ରଶାସନିକ ପରିପ୍ରେକ୍ଷ୍ୟରେ ଅପର୍ଯ୍ୟାପ୍ତ ହୋଇପଡ଼ିଥିବାରୁ ଏହାକୁ ଅଦ୍ୟତନ କରାଯାଉଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଜାରି କରିଛନ୍ତି।
କମିଟିର ଅଧ୍ୟକ୍ଷତା ରାଜସ୍ୱ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ କରିବେ। ଏଥିରେ ଚକବନ୍ଦୀ ଓ ବନ୍ଦୋବସ୍ତ ବିଭାଗ, ଜମି ରେକର୍ଡ଼ ଓ ସର୍ଭେ ନିର୍ଦ୍ଦେଶକ, ରାଜସ୍ୱ ପରିଷଦ ଓ ଅନ୍ୟ ଅଧିକାରୀମାନେ ସଦସ୍ୟ ଭାବେ ରହିଛନ୍ତି।
ପୁରୁଣା SOPର ସମୀକ୍ଷା ସହିତ ନୂତନ ଆଇନ, ସରକାରୀ ସର୍କୁଲାର୍ ଓ ନିର୍ଦ୍ଦେଶାବଳୀକୁ ଆଧାର କରି ନୂତନ ଖସଡ଼ା ପ୍ରସ୍ତୁତ ହେବ। ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହାକୁ ସରଳ ଓଡ଼ିଆ ଓ ଇଂରାଜୀ ଭାଷାରେ ତିଆରି କରାଯିବ।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କମିଟିକୁ ଏକ ମାସ ମଧ୍ୟରେ ସଂଶୋଧିତ SOPର ଖସଡ଼ା ଦାଖଲ କରିବାକୁ କୁହାଯାଇଛି। ଏହା ରାଜ୍ୟର ଜମି ପରିଚାଳନା ପ୍ରଣାଳୀକୁ ଆଧୁନିକ ଓ ସୁଦୃଢ଼ କରିବାରେ ମୁଖ୍ୟ ଭୂମିକା ନେବ ବୋଲି ଆଶା କରାଯାଉଛି।



