
ନୂଆଦିଲ୍ଲୀ: ଯଦି ଗୁଜରାଟରେ କ୍ଷମତାକୁ ଆପ ସରକାର ଆସନ୍ତି, ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆପ୍ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ମଧ୍ୟ ଦିଆଯିବ। ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ ସେମାନଙ୍କ ପାଖରେ ଦୁର୍ନୀତି ପାଇଁ ବଦନାମ ହୋଇଥିବା କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଥିଲା। କିନ୍ତୁ ବର୍ତ୍ତମାନ ଜନସାଧାରଣଙ୍କ ପାଖରେ ଆପ୍ ବିକଳ୍ପ ଅଛି। ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇ କେଜ୍ରିୱାଲ କହିଛନ୍ତି ଯେ, ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ସେ ଆହୁରି ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଆଜିକାଲି ଗୁଜରାଟର ହ୍ୱାଟସଆପ ଆପ୍ ଗ୍ରୁପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ହେଉଛି । ଯଦି ଆପଣ କଂଗ୍ରେସକୁ ଭୋଟ୍ ଦିଅନ୍ତି ତେବେ ସୋନିଆ ଗାନ୍ଧୀଙ୍କ ପୁଅ ଅଗ୍ରଗତି କରିବେ। ଯଦି ଆପଣ ବିଜେପିକୁ ଭୋଟ୍ ଦିଅନ୍ତି, ତେବେ ଅମିତ ଶାହାଙ୍କର ପୁଅ ଅଗ୍ରଗତି କରିବେ ଏବଂ ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦିଅନ୍ତି, ତେବେ ଗୁଜରାଟର ପ୍ରତ୍ୟେକ ପିଲା ଅଗ୍ରଗତି କରିବେ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।