Breaking PLUSବାଣିଜ୍ୟ

ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ସହ ଲୁହାପଥର ଉତ୍ପାଦନ ବୃଦ୍ଧି ପାଇଁ ସରକାର ନୂତନ ରଣନୀତି ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଖଣି ଲିଜ୍‌ଧାରୀ ଓ ଶିଳ୍ପପତିମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଦେଶରେ ଦିନକୁ ଦିନ ବଢୁଥିବା ଲୁହାପଥର ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ଉତ୍ପାଦନ କରିବା ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ ରହିଥିବାରୁ ଏହାକୁ ସଠିକ୍ ଭାବେ ବ୍ୟବହାର କଲେ ରାଜ୍ୟର ଅର୍ଥନୀତି ଆହୁରି ଶକ୍ତିଶାଳୀ ହୋଇପାରିବ।

ଏହି ବୈଠକରେ ଉତ୍ପାଦନ ଓ ଡେସପ୍ୟାଚ୍ ବୃଦ୍ଧି ପାଇଁ MDPA ଅନୁଯାୟୀ ନିର୍ଦ୍ଧାରିତ ସର୍ବନିମ୍ନ ସୀମାକୁ ଧ୍ୟାନରେ ରଖି ଆବଶ୍ୟକ ହେଲେ ଏହାକୁ ବଢ଼ାଇବା ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ଶିଳ୍ପପତିମାନଙ୍କୁ ସକ୍ରିୟ ଭୂମିକା ନେବାକୁ ପରାମର୍ଶ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ପକ୍ଷରୁ ଶିଳ୍ପ ଓ ଖଣି କ୍ଷେତ୍ରର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ଦିଆଯିବ। ନିବେଶକ ଓ ଶିଳ୍ପପତିମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ନହେବେ ବୋଲି ସେ ଆଶ୍ୱାସନା ଦେଇଥିଲେ।

ଏହାସହ ରାଜ୍ୟର ଖଣି ବହୁଳ ଜିଲ୍ଲାମାନେ ଶିଳ୍ପ ଉନ୍ନତିରେ ପଛକୁ ରହିଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଥିଲେ। ସେହି ଅଞ୍ଚଳମାନେ ନୂତନ ଶିଳ୍ପ ଗଢ଼ିବା ପାଇଁ ଶିଳ୍ପପତିମାନଙ୍କୁ ଆଗକୁ ଆସିବାକୁ ଆହ୍ୱାନ କରିଥିଲେ, ଯାହା ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ।

ସେଥିସହ ଶିଳ୍ପପତିମାନଙ୍କୁ ସ୍ଥାନୀୟ ଅଞ୍ଚଳର ଉନ୍ନତି, ଲୋକଙ୍କ ମୌଳିକ ଆବଶ୍ୟକତା, ଯଥା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ପ୍ରତି ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି।  ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ଶିଳ୍ପାୟନ ବୃଦ୍ଧି, ଖଣିଜ ସମ୍ପଦର ସଦ୍‌ବ୍ୟବହାର ଓ ଅର୍ଥନୀତିର ଉନ୍ନତି ହେବ ବୋଲି ସରକାର ଆଶା ବ୍ୟକ୍ତ କରିଛନ୍ତି।

Show More

Related Articles

Back to top button