
ଭୁବନେଶ୍ବର: ସାରା ଓଡ଼ିଶାରେ ଏବେ ଅଗ୍ନିବର୍ଷୀ ତାତିର ଦାହ ଅନୁଭୂତ ହେଉଛି। ପ୍ରଭାତ ୯ଟା ପରେ ବାହାରୁ ଯିବା ଦୁର୍ହର ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମଝିମଝିରେ ଝାଞ୍ଜିପବନ ଜନଜୀବନକୁ ଅଧିକ କଷ୍ଟକର କରୁଛି। ଏହି ତୀବ୍ର ଖରା ପରିସ୍ଥିତିରେ ସାଧାରଣ ଜୀବନ ପ୍ରାୟ ଅସ୍ତବ୍ୟସ୍ତ ହୋଇଯାଇଛି।
ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଇଛି। ଜିଲ୍ଲାରେ ଚାଲିଥିବା ତୀବ୍ର ତାପଦାହ ଓ ଗୁଳୁଗୁଳି ପରିସ୍ଥିତିକୁ ଭାବି ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପକ୍ଷରୁ ଦିଆଯାଇଛି।
ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏହି ଛୁଟି ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମ୍ୟ ଦେଇ ଏହି ପଦକ୍ଷେପ ନିଆଯାଇଥିବାକୁ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।



