ଦେଶ

ଜବଲପୁର କ୍ରୁଜ୍ ଦୁର୍ଘଟଣା: ଶେଷ ନିଖୋଜଙ୍କ ମୃତଦେହ ମିଳିଲା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ଭୋପାଳ: ମଧ୍ୟ ପ୍ରଦେଶର ଜବଲପୁର ଜିଲ୍ଲାର ବାର୍ଗୀ ଡ୍ୟାମରେ ଘଟିଥିବା କ୍ରୁଜ୍ ଦୁର୍ଘଟଣାରେ ଶେଷ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ରବିବାର ଉଦ୍ଧାର ହେବା ସହିତ ଖୋଜାଖୋଜି ଅଭିଯାନ ଶେଷ ହୋଇଛି। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି।
ଏପ୍ରିଲ ୩୦ ସନ୍ଧ୍ୟାରେ ଭୟାବହ ଝଡ଼ ସମୟରେ ପର୍ଯ୍ୟଟକ ବୋଝାଇଥିବା ଏକ ନୌକା ଓଲଟିଯିବା ପରେ ଏହି ଦୁର୍ଘଟଣା ଘଟିଥିଲା। ରବିବାର କାମରାଜଙ୍କ ମୃତଦେହ ମିଳିବା ସହ ଏକାଧିକ ଦିନ ଧରି ଚାଲିଥିବା ଅଭିଯାନର ଶେଷ ହୋଇଛି।
ଏହାପୂର୍ବରୁ ୯ ବର୍ଷୀୟ ମୟୂରନଙ୍କ ମୃତଦେହ ମଧ୍ୟ ଘଟଣାସ୍ଥଳ ନିକଟରୁ ମିଳିଥିଲା। ଶନିବାର ଦିନ ୪ ବର୍ଷୀୟ ବିରାଜ ସୋନୀ ଓ ୬ ବର୍ଷୀୟ ଶ୍ରୀ ତାମିଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସ୍ଥାନୀୟ ଲୋକ ଓ ଉଦ୍ଧାର ଦଳଙ୍କ ସମ୍ମିଳିତ ପ୍ରୟାସରେ ଏହି ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇଥିଲା।
ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ହଠାତ୍ ଜୋର ଝଡ ବତାସ ଓ ଉଚ୍ଚ ତରଙ୍ଗରେ ନୌକା ନିୟନ୍ତ୍ରଣ ହରାଇ ଓଲଟିଯାଇଥିଲା।
ତଦନ୍ତରେ କିଛି ଗୁରୁତର ଅସାବଧାନତା ମଧ୍ୟ ସାମ୍ନାକୁ ଆସିଛି। ନୌକାରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଯାତ୍ରୀ ଥିବା ସହ ପାଣିପାଗ ବିଭାଗର ଅରେଞ୍ଜ ଆଲର୍ଟ ସତ୍ତ୍ୱେ ଯାତ୍ରା ଆରମ୍ଭ କରାଯାଇଥିଲା। ଅନେକ ଯାତ୍ରୀ ଜୀବନରକ୍ଷା ଜାକେଟ୍‌ ମଧ୍ୟ ପିନ୍ଧିନଥିବା ଜଣାପଡ଼ିଛି।
ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି।

Show More

Related Articles

Back to top button