ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ନୂଆ ଭୂମିକା: ନୂଆ ଓଡ଼ିଶା ପାଇଁ ଅଧିକାରୀଙ୍କୁ ଆହ୍ୱାନ

ଭୁବନେଶ୍ୱର: ଡିଜିଟାଲ ଯୁଗରେ ରାଜସ୍ୱ ପ୍ରଶାସନର ଭୂମିକା ଦ୍ରୁତ ଭାବେ ବଦଳୁଥିବା ବେଳେ ଭୂ-ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଭାବେ ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀମାନେ “ନୂଆ ଓଡ଼ିଶା”ର ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବାକୁ ଆଗୁଆନ୍ ହେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ କରିଛନ୍ତି।
ଗୋଠପାଟଣାରେ ଅବସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ROTI)ରେ ଆୟୋଜିତ ଓଡ଼ିଶା ପ୍ରଶାସନିକ ସେବା ୨୦୨୩ ବ୍ୟାଚ୍ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ ଏହି କଥା କହିଥିଲେ। ସେ ଡିଜିଟାଲ ପରିବର୍ତ୍ତନ ସହ ରାଜସ୍ୱ ପ୍ରଶାସନକୁ ଅଧିକ ସରଳ, ପାରଦର୍ଶୀ ଓ ଲୋକମୁଖୀ କରିବା ଉପରେ ଜୋର ଦେଇଥିଲେ।
ଅନୁ ଗର୍ଗ ଭୂ-ପରିଚାଳନା କ୍ଷେତ୍ରରେ “7’S” ଧାରଣାକୁ ଅନୁସରଣ କରି ସଚ୍ଚୋଟତା ଓ ସ୍ୱଚ୍ଛତାକୁ ମୂଳ ଆଧାର କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟର ପ୍ରାୟ ୧ କୋଟି ୧୯ ଲକ୍ଷ ଏକର ସରକାରୀ ଜମିକୁ ସୁରକ୍ଷା ଦେବା ରାଜସ୍ୱ ଅଧିକାରୀମାନଙ୍କର ମୁଖ୍ୟ ଦାୟିତ୍ୱ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ସେ ଅଧିକାରୀମାନଙ୍କୁ ସଚ୍ଚୋଟତା, କାର୍ଯ୍ୟଦକ୍ଷତା ଓ ସହାନୁଭୂତିକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରି ଜନସେବାରେ ନିଯୁକ୍ତ ହେବାକୁ ପରାମର୍ଶ ଦେଇଥିଲେ।
ROTIର ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ମଧ୍ୟ ନବନିଯୁକ୍ତ ଅଧିକାରୀମାନଙ୍କୁ ନିଷ୍ଠା, ପରୋପକାର ଓ ସମାଜସେବାକୁ ଜୀବନର ମୂଳ ଲକ୍ଷ୍ୟ କରିବାକୁ କହିଥିଲେ। ସେ କହିଥିଲେ ଯେ, ଚାକିରୀର ଆରମ୍ଭରେ ସେମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ତହସିଲଦାର ଭାବେ କାମ କରିବେ, ଯାହା ରାଜ୍ୟର ଉନ୍ନତିରେ ସିଧାସଳଖ ପ୍ରଭାବ ପକାଇବ।
ଅନ୍ୟପଟେ, ପ୍ରଶିକ୍ଷୁ ଅଧିକାରୀ ସୋମ୍ୟଶ୍ରୀ ବେହେରା ଓ ପୂଜା ଯୋଶୀ ROTIରେ ନେଇଥିବା ପ୍ରଶିକ୍ଷଣ ଅନୁଭବକୁ ସେୟାର କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଦୁଇଜଣ ରାଜସ୍ୱ ବିଶେଷଜ୍ଞଙ୍କୁ ସମ୍ମାନିତ କରାଯାଇଥିଲା।



