ଯାଜପୁର ସଡ଼କ ଦୁର୍ଘଟଣା: ୫ ମୃତ, ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା

ଯାଜପୁର: ଜିଲ୍ଲାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା କରି ସହାୟତା ଘୋଷଣା କରିଛନ୍ତି। ସେଥିସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।
ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ବରଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିବାହ ସାରି ଫେରୁଥିବା ବରଯାତ୍ରୀ ବୋଲେରୋ ଗାଡ଼ିଟି ଜାତୀୟ ରାଜପଥରେ ରହିଥିବା ଏକ ହାଇୱା ସହ ଧକ୍କା ଖାଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି।
ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ବଡ଼ଚଣା ଓ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ସ୍ଥିତି ଗମ୍ଭୀର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ବଡ଼ଚଣା ଅଞ୍ଚଳର ଶାସନପୁରୁଷୋତ୍ତମପୁର ଗାଁର ଲୋକେ କେଉଁଝରରେ ଏକ ବିବାହ ଅବସରରେ ଯାଇଥିଲେ ଓ ଆଜି ସକାଳେ ଫେରୁଥିବା ସମୟରେ ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଖବର ପାଇ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।



