


ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ରାଜ୍ୟରେ ବିଜେପି ସରକାର ଗଠନ ଦିଗରେ ଆଗୁଆ ହେଉଥିବା ଚିତ୍ର ସ୍ପଷ୍ଟ ହେଉଛି। ଏହାକୁ ନେଇ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଏହି ସଫଳତା ପଛରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସହିତ ଗତ ୧୫ ବର୍ଷ ଧରି ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାର ପ୍ରତି ଲୋକଙ୍କ ବିତସ୍ପୃହତା ମୁଖ୍ୟ କାରଣ। ସେ କହିଛନ୍ତି, ଏହା ରାଷ୍ଟ୍ରବାଦୀ ବିଚାରଧାରାର ବିଜୟ।
ତାଙ୍କ ମତାନୁସାରେ, ଅଙ୍ଗ, ବଙ୍ଗ ଓ କଳିଙ୍ଗ ଐତିହାସିକ ଭାବେ ସାଂସ୍କୃତିକ ଭାବରେ ଜଡିତ ରହିଛି ଏବଂ ଏହି ତିନୋଟି ଅଞ୍ଚଳରେ ବିଜେପିର ସଫଳତା ଏକ ନୂଆ ପରିବର୍ତ୍ତନର ସୂଚନା ଦେଉଛି।
ମନ୍ତ୍ରୀ ଆହୁରି କହିଛନ୍ତି, ଗତ କିଛି ବର୍ଷ ଧରି ପଶ୍ଚିମବଙ୍ଗରେ ବିଭିନ୍ନ ସମସ୍ୟା ଓ ନୀତିଗତ ଅସନ୍ତୋଷ ଲୋକଙ୍କୁ ପ୍ରଭାବିତ କରିଥିଲା, ଯାହାର ପରିଣାମ ଏହି ଫଳାଫଳରେ ଦେଖିବାକୁ ମିଳିଛି।
ସେ ଓଡ଼ିଶାରେ ମଧ୍ୟ ସୁରକ୍ଷା ଓ ଅନୁପ୍ରବେଶ ନେଇ କାର୍ଯ୍ୟକଳାପ ଜୋରଦାର କରାଯାଇଥିବା କଥା କହିଥିଲେ। ସେହିସହ ପଶ୍ଚିମବଙ୍ଗର ମତଦାତାଙ୍କୁ ଏହି ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଇଛନ୍ତି।