ମହାରାଣୀ ଏଲିଜାବେଥଙ୍କ ଦେହାନ୍ତରେ ଆଜି ବ୍ରିଟେନବାସୀଙ୍କୁ ସମ୍ୱୋଧନ କରିବେ କିଙ୍ଗ୍ସ ଚାର୍ଲସ୍
ଲଣ୍ଡନ: ମହାରାଣୀ ଏଲିଜାବେଥଙ୍କ ମୃତ୍ୟୁରେ ଆଜି କିଙ୍ଗ୍ସ ଚାର୍ଲସ୍ ବ୍ରିଟେନବାସୀଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ବଡ଼ ପୁଅ ପ୍ରିନ୍ସ ଚାର୍ଲସ ରାଜା ହୋଇଛନ୍ତି । ବିଧିବଦ୍ଧ ଭାବେ ଆସନ୍ତାକାଲି ଆସେସନ୍ କାଉନ୍ସିଲ୍ ଦ୍ୱାରା ଚାର୍ଲସଙ୍କୁ ରାଜା ଭାବେ ଅଭିଷିକ୍ତ କରାଯିବ ବୋଲି ଜଣାପଡ଼ିଛି । ସେ ବାଲମୋରରୁ ଆଜି ହିଁ ଲଣ୍ଡନ ଫେରିବେ ଓ ଦେଶବାସୀଙ୍କୁ ସମ୍ବୋଧନ ଜଣାଇବେ । ମହାରାଣୀ ଏଲିଜାବେଥଙ୍କ ପାର୍ଥିବ ଶରୀରକୁ ମଧ୍ୟ ଆଜି ବାଲମୋରରୁ ପ୍ରଥମେ ଏଡିନବର୍ଗ ନିଆଯିବ। ସେଠାରୁ ଲଣ୍ଡକୁ ଅଣାଯିବ । ରାଣୀଙ୍କ ମୃତ୍ୟୁରେ ବ୍ରିଟେନ ସରକାର ୧୦ ଦିନ ଶୋକ ପାଳନ କରିବେ । ହାଇଡ୍ ପାର୍କରେ ତୋପ ସଲାମି ଦିଆଯିବ। ସେହିପରି ଓ୍ୱେଷ୍ଟାମିନଷ୍ଟର ଆବେରେ ଥିବା ଚର୍ଚ୍ଚର ବେଲ୍ ବଜାଯିବ। ୟୁନିୟନ ଫ୍ଲାଗ୍ ଅଧନମିତ ରହିବ । ଏଡିନବର୍ଗରୁ ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ସେଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ। ଗତକାଲି ମହାରାଣୀ ଏଲିଜାବେଥଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ତାଙ୍କ ପଖରେ ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବି ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା