ଏଲ୍ପିଜି ସଙ୍କଟ: ବାୟୋମେଟ୍ରିକ ଅନିବାର୍ୟ, ପିଏନ୍ଜି ସଂଯୋଗକୁ ଗୁରୁତ୍ୱ

ମଧ୍ୟପ୍ରାଚ୍ୟରେ ଇରାନ ସମ୍ପର୍କିତ ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଭାରତରେ ଏଲ୍ପିଜି ଗ୍ୟାସ୍ ଯୋଗାଣରେ ଚାପ ସୃଷ୍ଟି ହୋଇଛି। ଏହାକୁ ମୁକାବିଲା କରିବା ସହିତ କଳାବଜାରୀକୁ ରୋକିବା ପାଇଁ ସରକାର ନୂତନ ପଦକ୍ଷେପ ନେଇଛନ୍ତି।
ଏହି ପରିପ୍ରେକ୍ଷିତରେ ଏଲ୍ପିଜି ସିଲିଣ୍ଡର ବଣ୍ଟନ ସମୟରେ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖି ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏହା ଦ୍ୱାରା କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ସହଜରେ ଚିହ୍ନଟ କରିହେବ ବୋଲି ସରକାର ଆଶା କରୁଛନ୍ତି।
ସେପରି ଏଲ୍ପିଜି ଉପରେ ଚାପ କମାଇବା ପାଇଁ ପାଇପ୍ ଯୋଗେ ଦିଆଯାଉଥିବା ପିଏନ୍ଜି (PNG) ଗ୍ୟାସ୍ ସଂଯୋଗକୁ ବୃହତ୍ ଭାବେ ପ୍ରୋତ୍ସାହନ ଦିଆଯାଉଛି। ପାଇପ୍ ଲାଇନ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଏହାରେ କୌଣସି ବାଧା ନ ଆସିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଓଡ଼ିଶାରେ ଏଲ୍ପିଜି ଓ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ସୁଚାରୁ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି।
ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରରେ ପିଏନ୍ଜି ସଂଯୋଗକୁ ପ୍ରାଥମ୍ୟ ଦେବାକୁ କୁହାଯାଇଛି। ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ, ସିଟି ଗ୍ୟାସ୍ ବିତରଣ (CGD) ବ୍ୟବସ୍ଥାକୁ ସୁଦୃଢ଼ କରି ସହରର ଘର, ଶିଳ୍ପ ଓ ପ୍ରତିଷ୍ଠାନକୁ ଗ୍ୟାସ୍ ଯୋଗାଣ ବୃଦ୍ଧି କରାଯାଉଛି। ସାଧାରଣ ଲୋକଙ୍କୁ ଭୟଭୀତ ନ ହେବାକୁ ମଧ୍ୟ ସରକାର ପକ୍ଷରୁ ଆହ୍ୱାନ କରାଯାଇଛି।



