Breaking PLUSଓଡ଼ିଶାମୁଖ୍ୟ ଖବର

ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯

ବଢ଼ିଲା ଅବକାରୀ ଶୁଳ୍କ, ଆଉ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ୱର- ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧ ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି, କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି, ଏହାସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି ।

ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।

ବିଭିନ୍ନ ଅବକାରୀ ଲାଇସେକ୍ସ ପାଇଁ ଆବେଦନ ଶୁଳ୍କ ୧୦% ବଢ଼ାଯିବ ଏବଂ ଲାଇସେକ୍ସ ଶୁଳ୍କ ପ୍ରତି ବର୍ଷ ୧୦ ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧିପାଇବ । ଆଇଏମଏଫଏଲ ଓ ଦେଶୀ ମଦ (ସିଏଲ) ଉପରେ ଅବକାରୀ ଶୁଳ୍କ ମଧ୍ୟ ବଢ଼ାଯାଇଛି ।

ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ ମିନିମମ ଗ୍ୟାରେଂଟି କ୍ୱାଣ୍ଟିଟି (ଏମଜିକ୍ୟୁ) ପ୍ରଣାଳୀରୁ ମିନିମମ ଗ୍ୟାରେଣ୍ଟେଡ ଏକ୍ସଇଜ ରେଭିନ୍ୟୁ ପ୍ରଣାଳୀକୁ ଆଣାଯାଇଛି । ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀ ମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା “କୁଚିଆ” ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ ।

ଏହି ନୀତି ଅନୁଯାୟୀ ରାଜ୍ୟରେ ନୂତନ ଅଫ୍, ସିଏଲ କିମ୍ବା ଓଏସ ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ଅନ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ, କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ |

ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

ଆଉଟ ଷ୍ଟିଲ (ଓଏସ) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଫଏସଏସଏଆଇ ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ । ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ।

ସରକାର ଇଏନଏ ଗତିବିଧ‌ି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ ଟ୍ରାକ ଆଣ୍ଡ ଟ୍ରେସ ପ୍ରଣାଳୀ ପ୍ରବର୍ତନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ ସିସିଟିଭି ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ I

ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ।

 

Show More

Related Articles

Back to top button