୨ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା

ଭୁବନେଶ୍ୱର, 16 ଏପ୍ରିଲ- ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ । ରାଜ୍ୟରେ ଅସମ୍ଭାଳ ତାତି । ବିଶେଷ କରି ପଶ୍ଚିମ ଓଡ଼ିଶା ଜଳୁଛି ।
ଆଗାମୀ ୨ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାର ବହୁ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଟିଟିଲାଗଡ଼ରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ଟପିଥିବା ବେଳେ ବୁଧବାର ୪୨ଡିଗ୍ରୀ ପାରଦ ଛୁଇଁଛି। ଭବାନୀପାଟଣାରେ ଦିନ ତାପମାତ୍ରା ୪୧.୮ଡିଗ୍ରୀ ରହିଛି। ବଲାଙ୍ଗିର, ହୀରାକୁଦ ଏବଂ ସମ୍ବଲପୁରରେ ପାରଦ ୪୧ଡିଗ୍ରୀ ଲେଖାଏଁ ଥିବାବେଳେ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରହିଛି। ତାଳଚେର, ବୌଦ୍ଧ ଏବଂ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଛୁଇଁଛି।
ଉତ୍ତର, ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ତାପମାତ୍ରା ୪୦ଡିଗ୍ରୀ ତଳେ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨ଦିନ ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ଦୁଇଦିନ ମଧ୍ୟରେ ପୁଣି ତାପମାତ୍ରା ଆହୁରି ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।
ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ବୌଦ୍ଧ, ଦେବଗଡ଼, କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼ ଏବଂ ନୂଆପଡ଼ାରେ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାକୁ ମାଡ଼ି ଆସୁଛ ଗ୍ରୀଷ୍ମ ଲହରୀ। କିଛି ସ୍ଥାନରେ ତାତି ୪୫ଡିଗ୍ରୀରୁ କମିବ ନାହିଁ। ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।



