
ଶୁକ୍ରବାରଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ। ଯେଉଁ ବ୍ରତଧାରୀ ମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏହି ପାଞ୍ଚଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ସହ ୫ଟି ସ୍ବତନ୍ତ୍ର ବେଶରେ ମହାପ୍ରଭୁ ଦର୍ଶନ ଦେଇଥାନ୍ତି।
ତେବେ ଏହି ଏକାଦଶୀ ତିଥିରେ ଠିଆକିଆ ବେଶ, ଦ୍ବାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୁର୍ଣ୍ଣିମାରେ ରାଜରାଜେଶ୍ବର ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହି ଦିନ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ହେବ। ଦେବ ନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର ନୀତି ଯୋଗୁଁ ଭକ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ।