ଦୁର୍ଘଟଣାରେ ଜଳିଗଲା ଯାତ୍ରୀବାହୀ ବସ୍, ୨୦ ମୃତ

ଲାଜୋସ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଳିଗଲା ଯାତ୍ରୀବାହୀ ବସ୍ । ଚାଲିଗଲା ୨୦ ଯାତ୍ରୀଙ୍କ ଜୀବନ। ଗୋଟିଏ ଯାତ୍ରୀବାହୀ ବସ୍ ଅନ୍ୟ ଏକ ଗାଡ଼ି ସହ ପିଟି ହେବାରୁ ଏଥିରେ ନିଆଁ ଲାଗି ଯାଇଛି। ଫଳରେ ଘଟଣାସ୍ଥଳରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ନାଇଜେରିଆର ଇବାରପା ଅନ୍ତର୍ଗତ ଲାନଲେଟ୍ରେ ହି ଅଘଟଣ ଶୁକ୍ରବାର ରାତିରେ ଘଟିଛି। ପୋଲିସ ଖବର ପାଇବା ପରେ ଆଜି ଏ ସମ୍ପର୍କରେ ସୂଚନା ଦେଇଛି। ଇବାରପା ଜିଲ୍ଲାର ଚେୟାରମ୍ୟାନ ଜବେଙ୍ଗା ଓବାଲୋୱୋ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା ଥିଲା। ଆମେ ବସ୍ ଭିତରୁ ୨୦ ଜଣଙ୍କ ମୃତଦେହ ଉଦ୍ଧାର କରିଛୁ। ସେଗୁଡ଼ିକ ସଂପୂର୍ଣ୍ଣ ଜଳି ଯାଇଛି। ଦୁଇ ଗାଡ଼ି ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲେ। ଉଭୟ ଗାଡ଼ିରେ ଯାତ୍ରୀ ରହିଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। କିଛି ଲୋକ ବାହାରକୁ ବାହାରିବାରେ ସକ୍ଷମ ହୋଇଥିବା ବେଳେ ୨୦ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଦୁଇ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଡ଼ି ଦୁଇଟି ନିଆଁରେ ସଂପୂର୍ଣ୍ଣ ଭାବ ପୋଡ଼ି ଯାଇଛି ବୋଲି ସେ କହିଛନ୍ତି। ସେ ଦୁର୍ଘଟଣା ପାଇଁ ସ୍ପିଡ ଓ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂକୁ ଦାୟୀ କରିଛନ୍ତି।