


ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଓ ଫରିଦକୋଟର ଅନେକ ସ୍କୁଲକୁ ବୋମା ଧମକ ମିଳିବା ପରେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଧମକପୂର୍ଣ୍ଣ ଇମେଲରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ ବିଟ୍ଟୁଙ୍କ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ମଧ୍ୟ ଧମକ ଦିଆଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଜଳନ୍ଧରର ବିଏମସି ଛକ ନିକଟରେ ଥିବା ଏପିଜେ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଧମକ ପାଇବା ପରେ ସ୍କୁଲ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ପୁଲିସ୍ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ।
ପୁଲିସ୍ ପକ୍ଷରୁ ସ୍କୁଲ ପରିସରରେ ସଂପୂର୍ଣ୍ଣ ତଲାସି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ସହରର ପ୍ରାୟ ୫ରୁ ୬ଟି ସ୍କୁଲକୁ ସମାନ ପ୍ରକାରର ଧମକ ମିଳିଥିବାରୁ ପ୍ରଶାସନ ସତର୍କ ହୋଇପଡ଼ିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ତୁରନ୍ତ ଛୁଟି ଘୋଷଣା କରାଯାଇଥିବା ବେଳେ ସୁରକ୍ଷା ଏଜେନ୍ସିମାନେ ଧମକପୂର୍ଣ୍ଣ ଇମେଲର ଉତ୍ସ ଖୋଜିବାରେ ଲାଗିପଡ଼ିଛନ୍ତି।