
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଅନ୍ତଃସତ୍ବା ମହିଳା ପୂଜା ସ୍ୱାଇଁଙ୍କ ହତ୍ୟା ଘଟଣା ରାଜ୍ୟଜୁଡ଼ା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ତାଙ୍କ ଦୁଇ ବର୍ଷର ଝିଅ ଏବେ ଅନାଥ ହୋଇପଡ଼ିଛି। ମାଆଙ୍କ ମୃତ୍ୟୁ ପରେ ଶିଶୁକନ୍ୟାକୁ ହିଞ୍ଜିଳି ପୁଲିସ ଉଦ୍ଧାର କରି ଉତ୍କଳ ବାଳାଶ୍ରମରେ ରଖିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।
ଏହି ଘଟଣାକୁ ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିବା ସହ ଶିଶୁକନ୍ୟାର ଭବିଷ୍ୟତ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।
ଆଜି ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କ ସମେତ ୨୦ ଜଣିଆ ପ୍ରତିନିଧି ଦଳ ଗୋଶାଣୀନୁଆଗାଁ ସ୍ଥିତ ବାଳାଶ୍ରମକୁ ଯାଇ ଶିଶୁକନ୍ୟାର ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ମେୟର ସଂଘମିତ୍ରା ଦଳାଇ ସୂଚନା ଦେଇଛନ୍ତି ଯେ, ନବୀନ ପଟ୍ଟନାୟକ ପ୍ରଦାନ କରିଥିବା ୧ ଲକ୍ଷ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ କରାଯିବ। ଶିଶୁକନ୍ୟା ୧୮ ବର୍ଷ ବୟସ୍ରେ ପହଞ୍ଚିବା ପରେ ଏହି ରାଶି ପାଇପାରିବେ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡ଼ା. ରମେଶଚନ୍ଦ୍ର ପଟ୍ଟନାୟକ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ ଓ ଅନ୍ୟାନ୍ୟ ବିଜେଡି ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।



