ତୀରନ୍ଦାଜୀରେ ଭାରତର ସୁନା ବର୍ଷା, ହ୍ୟାଟ୍ରିକ୍ ସ୍ୱର୍ଣ୍ଣ

ଏସିଆନ୍ ଗେମ୍ସ ୨୦୨୬ରେ ତୀରନ୍ଦାଜୀରେ ଭାରତର ଦବଦବା ଜାରି ରହିଛି। ବୁଧବାର ପୁରୁଷ କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ଚୀନ୍କୁ ହରାଇ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସାହିଲ ଯାଦବ, ଗଣେଶ ମଣି ରତନମ ଓ କୁଶଲ ଦଲାଲଙ୍କ ଦଳ ଚୀନ୍କୁ ୨୩୮-୨୩୭ ପଏଣ୍ଟରେ ପରାସ୍ତ କରିଛି।
ଫାଇନାଲର ଶେଷ ରାଉଣ୍ଡରେ ଭାରତର ତିନି ଖେଳାଳି ଯାକ ପରଫେକ୍ଟ ୧୦ ସ୍କୋର କରିଥିଲେ। ଚୀନ୍ ମଧ୍ୟ ୩୦ ପଏଣ୍ଟ ହାସଲ କରିଥିଲା। ତେବେ ପୂର୍ବ ରାଉଣ୍ଡରେ ଚୀନ୍ର ତ୍ରୁଟିର ଫାଇଦା ଭାରତକୁ ମିଳିଥିଲା ଏବଂ ମାତ୍ର ଗୋଟିଏ ପଏଣ୍ଟ ବ୍ୟବଧାନରେ ଭାରତ ସ୍ୱର୍ଣ୍ଣ ଜିତିଥିଲା। ଚୀନ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏହା ପୂର୍ବରୁ ମହିଳା କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ଜ୍ୟୋତି ସୁରେଖା ଭେନ୍ନମ, ଚିକିତା ତନିପାର୍ଥୀ ଓ ପ୍ରତିକା ପ୍ରଦୀପ ଚୀନ୍କୁ ୨୩୮-୨୩୪ରେ ହରାଇ ସ୍ୱର୍ଣ୍ଣ ଜିତିଥିଲେ। ପରେ ସାହିଲ ଯାଦବ ଓ ଚିକିତା ତନିପାର୍ଥୀଙ୍କ ଯୋଡ଼ି କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଇଭେଣ୍ଟରେ ଦକ୍ଷିଣ କୋରିଆକୁ ଶୁଟ୍-ଅଫ୍ରେ ପରାସ୍ତ କରି ଦ୍ୱିତୀୟ ସ୍ୱର୍ଣ୍ଣ ଆଣିଥିଲେ। ଏହି ବିଜୟ ସହ ଭାରତୀୟ ତୀରନ୍ଦାଜୀ ଦଳ ତିନିଟି ସ୍ୱର୍ଣ୍ଣ ପଦକ ହାସଲ କରିଛି।



