
ଜଳନ୍ଧର: ପଞ୍ଜାବରେ ନିଶା କାରବାରକୁ ନେଇ ଆମ୍ ଆଦମୀ ପାର୍ଟି ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୁଧବାର ଜଳନ୍ଧରରେ ବିଜେପିର ‘ନଶାମୁକ୍ତ ପଞ୍ଜାବ ଯାତ୍ରା’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ, ଆପ୍ ସରକାରଙ୍କ ଅମଳରେ ‘ଚିଟ୍ଟା’ ବା ସିନ୍ଥେଟିକ୍ ଡ୍ରଗ୍ସ କାରବାର ଖୋଲାଖୋଲି ଭାବେ ବଢ଼ିଛି।
ଶାହ କହିଛନ୍ତି ଯେ, ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ନିଶାମୁକ୍ତ ପଞ୍ଜାବ ବିଜେପିର ପ୍ରମୁଖ ପ୍ରସଙ୍ଗ ରହିବ। ଦଳ କ୍ଷମତାକୁ ଆସିଲେ ୨୦୨୯ ଡିସେମ୍ବର ୩୧ ପୂର୍ବରୁ ରାଜ୍ୟକୁ ‘ଚିଟ୍ଟା’ କାରବାରରୁ ମୁକ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେ ପଞ୍ଜାବର କୃଷକ ଓ ଯୁବପିଢ଼ିଙ୍କ ଅବଦାନର ପ୍ରଶଂସା କରି କହିଛନ୍ତି ଯେ, ଦେଶର ଖାଦ୍ୟ ସୁରକ୍ଷାରେ ପଞ୍ଜାବର କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିପରି ଦେଶର ସୀମା ସୁରକ୍ଷାରେ ମଧ୍ୟ ରାଜ୍ୟର ଯୁବକମାନେ ଅନେକ ବଳିଦାନ ଦେଇଛନ୍ତି ବୋଲି ଶାହ କହିଛନ୍ତି।
ନିଜ ଗସ୍ତ ସମୟରେ ଶାହ ଜଳନ୍ଧରସ୍ଥିତ ଶ୍ରୀ ଦେବୀ ତାଲାବ ମନ୍ଦିର ଦର୍ଶନ କରିଥିଲେ। ଭାଷଣ ଆରମ୍ଭରେ ସେ ଶିଖ ଗୁରୁମାନଙ୍କ ସମେତ ମହାରାଜା ରଣଜିତ ସିଂହ, ସର୍ଦ୍ଦାର ତେଜା ସିଂହ ସମୁନ୍ଦ୍ରୀ, ଭଗତ ସିଂହ ଓ ଉଧମ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।



