
କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ ସାମଗ୍ରୀ ମାଧ୍ୟମରେ ବିଭିନ୍ନ ରୋଗ ମଧ୍ୟ ବାଣ୍ଟୁଥିବାର ଅଭିଯୋଗ ଉଠିଛି ।
ଏପରିକି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଇ ଏକାଧିକ ବେଆଇନ ଖାଦ୍ୟ ସାମଗ୍ରୀ କାରଖାନା ଗୁଡ଼ିକୁ ସିଲ୍ କରାଯାଇଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଆଜି କଟକ ସହରର ସ୍ଥାନୀୟ ଶିଖରପୁର ଅଞ୍ଚଳରେ ଏକ ବେଆଇନ ବେକେରୀ କାରଖାନା ଚାଲିଥିବାବେଳେ ସିଏମସି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେଠାରେ ୩ଟି ବେକେରୀ ୟୁନିଟ୍ ସିଲ୍ କରାଯାଇଛି । ଏହି ବେକେରୀ କାରଖାନାଟି ଏକ ବେନାମୀ କମ୍ପାନୀ ନାମରେ ଚାଲିଥିବାବେଳେ ଏଠାରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ୱ ଓଜନର ବିଭିନ୍ନ ବେକେରୀ ଜବତ କରାଯାଇଛି ।
ଏଠାରେ ବିଭିନ୍ନ ପ୍ରକାର କେକ୍, ପାଉଁରୁଟି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଏଠାରେ ପ୍ରସ୍ତୁତ କରାଯାଉଥିଲେ ବି ଏହି କମ୍ପାନୀ ନାମରେ ଖାଦ୍ୟ ପ୍ରକ୍ରିୟାକରଣର କୌଣସି ଅନୁମତି ବା ପ୍ରମାଣ ପତ୍ର ନଥିଲା । ଅନ୍ୟପକ୍ଷରେ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ଚଢ଼ାଉ ସମୟରେ ଜଣାପଡ଼ିଥିଲା । କଟକ ସହରରେ ଏଭଳି ବେଆଇନ କାରଖାନା ଚାଲୁଥିବା ଖବର ପାଇବା ପରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଥିଲା ।
ଏହି ଟିମ୍ରେ ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଭଗବାନ ଲେଙ୍କାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ଖାଦ୍ୟ ନିରାପତ୍ତା ଇଣ୍ଡେକ୍ସରେ ଗତକାଲି ୧୪ ନମ୍ବରରୁ ଉଠି ୪ ନମ୍ବରରେ ପହଁଞ୍ଚିଥିଲାବେଳେ ଆଜି ଏଭଳି ଖବର କଟକରୁ ଆସିବା ନିହାତି ଦୁର୍ଭାଗ୍ୟଜନକ ବୋଲି ସାଧାରଣ ଲୋକଙ୍କ ମତ ।