୧୩ ହଜାରରୁ ଅଧିକ ଜୁନିଅର ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଟ୍ରାକ୍ଟ ଭିତ୍ତିରେ କାର୍ଯ୍ୟରତ ଜୁନିଅର ଶିକ୍ଷକ (ସ୍କିମାଟିକ୍) ମାନଙ୍କ ସେବାକୁ ସ୍ଥାୟୀ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତିରେ ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ରାଜ୍ୟର ୧୩ ହଜାରରୁ ଅଧିକ ଶିକ୍ଷକ ଲାଭାନ୍ବିତ ହେବେ।
ଏହି ପଦକ୍ଷେପ ମାଧ୍ୟମରେ ଶିକ୍ଷକମାନଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ଏହା ସହିତ ନିଯୁକ୍ତିର ସୁରକ୍ଷା ଓ ଆର୍ଥିକ ସ୍ଥିରତା ମଧ୍ୟ ସୁନିଶ୍ଚିତ ହେବ।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ଶିକ୍ଷକମାନଙ୍କ ସେବା ସେମାନଙ୍କ ମୂଳ ଯୋଗଦାନ ତାରିଖରୁ ସ୍ଥାୟୀ ମାନ୍ୟତା ପାଇବ। ତେବେ ଯୋଗଦାନ ତାରିଖରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସେମାନଙ୍କୁ ଔପଚାରିକ ଭାବେ ସୁବିଧା ପ୍ରଦାନ କରାଯିବ।
୧ ଜାନୁଆରୀ ୨୦୨୬ ଠାରୁ ସେମାନେ ନିୟମିତ ସରକାରୀ କର୍ମଚାରୀଙ୍କ ସମକକ୍ଷ ବେତନ, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ପାଇବେ। ଏହା ସହିତ ସେମାନଙ୍କ ସେବା ଶର୍ତ୍ତ ଓ ଅଧିକାର ସରକାରୀ ନିୟମାବଳୀ ଅନୁଯାୟୀ ଲାଗୁ ହେବ।
ଶିକ୍ଷା ବିଶେଷଜ୍ଞମାନଙ୍କ ମତରେ, ଏହି ପଦକ୍ଷେପ ଓଡିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଶିକ୍ଷାର ଗୁଣତ୍ୱ ବୃଦ୍ଧିରେ ସହାୟକ ହେବ। ଏହା ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ ରଖି ଶିକ୍ଷାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସୁଧାର ଆଣିବା ଦିଗରେ ଏକ ମୁଖ୍ୟ ପଦକ୍ଷେପ ବୋଲି ମନେ କରାଯାଉଛି।



