ତୀବ୍ର ଗ୍ରୀଷ୍ମ ପ୍ରବାହ: ଖରା ଛୁଟିରେ ଖୋଲା ରହିବ ବିଦ୍ୟାଳୟ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଚଳିତ ମାସ ୨୭ ତାରିଖରୁ ସମସ୍ତ ବିଦ୍ୟାଳୟରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି। ଏହା ସହ ଛୁଟି ସମୟରେ ଶିକ୍ଷା ପ୍ରକ୍ରିୟା ଅବାଧ ରହିବା ଏବଂ ବିଦ୍ୟାଳୟ ପରିଚାଳନା ସୁଚାରୁ ଭାବେ ଚାଲିବାକୁ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ସ୍ୱତନ୍ତ୍ର ନିର୍ଦେଶାବଳୀ ଜାରି କରାଯାଇଛି।
ନିର୍ଦେଶାନୁସାରେ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରଖିବା ପାଇଁ ‘ହଲିଡେ ହୋମ୍ୱାର୍କ’ ବ୍ୟବସ୍ଥା କରାଯାଇଛି। ପ୍ରଧାନଶିକ୍ଷକଙ୍କ ମାଧ୍ୟମରେ ଏହି ଗୃହକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ଏବଂ ସେମାନେ ନିଜ ବିଷୟ ଅନୁଯାୟୀ ଖାତାରେ ଏହା ପୂରଣ କରିବେ। ଯଦି କୌଣସି ଶିକ୍ଷାଗତ ସହାୟତା ଆବଶ୍ୟକ ହୁଏ, ତେବେ ଛାତ୍ରଛାତ୍ରୀମାନେ ଟେଲିଫୋନ୍ ମାଧ୍ୟମରେ ନିଜ ଶ୍ରେଣୀ ଶିକ୍ଷକ କିମ୍ବା ବିଷୟ ଶିକ୍ଷକଙ୍କ ସହ ସମ୍ପର୍କ ସ୍ଥାପନ କରିପାରିବେ। ଶିକ୍ଷକମାନଙ୍କୁ ମଧ୍ୟ ନିୟମିତ ଭାବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ରଖି ଶିକ୍ଷାଦାନ ପ୍ରକ୍ରିୟାକୁ ଚାଲୁ ରଖିବାକୁ କୁହାଯାଇଛି।
ଏପରିକାରେ, ଛୁଟି ସମୟରେ ନାମଲେଖା ପ୍ରକ୍ରିୟା ଜାରି ରହିବା ଦ୍ୱାରା ବିଦ୍ୟାଳୟ କାର୍ଯ୍ୟାଳୟ ଖୋଲା ରଖିବାକୁ ନିର୍ଦେଶ ମିଳିଛି। ଏହି କାର୍ଯ୍ୟ ପାଇଁ ଶିକ୍ଷକ, କନିଷ୍ଠ ସହାୟକ ଓ ପିଅନଙ୍କୁ ନେଇ ଏକ ‘ରୋଷ୍ଟର ଡ୍ୟୁଟି’ ବ୍ୟବସ୍ଥା ପ୍ରଚଳିତ କରାଯିବ। ଏହି ଡ୍ୟୁଟିରେ ଥିବା କର୍ମଚାରୀମାନେ ସ୍କୁଲର ସମ୍ପତ୍ତି ଯଥା ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି, ବିଜ୍ଞାନାଗାର ଓ ପାନୀୟ ଜଳ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କରିବେ।
ଏହାସହିତ, କାଳବୈଶାଖୀ ପରି ପ୍ରାକୃତିକ ବିପଦ ସମୟରେ ପ୍ରଧାନଶିକ୍ଷକ ଓ ରୋଷ୍ଟର ଷ୍ଟାଫ୍ଙ୍କୁ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସ୍କୁଲ ପୁନଃ ଖୋଲିବା ପୂର୍ବରୁ ସମଗ୍ର ପରିସରର ପରିମଳ, ସୁରକ୍ଷା ଓ ଆବଶ୍ୟକ ସୁବିଧାଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ମଧ୍ୟ ନିର୍ଦେଶ ରହିଛି।
ସମସ୍ତ ନିର୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଜୋର ଦିଆଯାଇଛି, ଯାହା ଦ୍ୱାରା ଛୁଟି ସମୟରେ ମଧ୍ୟ ଶିକ୍ଷା ଓ ବିଦ୍ୟାଳୟ ପରିଚାଳନା ସୁଚାରୁ ରହିପାରିବ।



