
କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଉତ୍ତର ପ୍ରଦେଶ ସରକାର ମଧ୍ୟ ବଡ ଘୋଷଣା କରିଛନ୍ତି । କେବଳ ଉତ୍ତର ପ୍ରଦେଶ ନୁହେଁ, ଗୋଆ, ବିହାର, ଗୁଜୁରାଟ, ଆଶାମ, ତ୍ରିପୁରା, ମଣିପୁର ଓ କର୍ଣ୍ଣାଟକ ସରକାର ମଧ୍ୟ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଉତ୍ତର ପ୍ରଦେଶ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ଯଥାକ୍ରମେ ୭ ଓ ୨ ଟଙ୍କା ଭାଟ୍ ହ୍ରାସ କରିବା ନେଇ ଘୋଷଣା କରିଛନ୍ତି । ଅର୍ଥାତ କେନ୍ଦ୍ର ସରକାର ଦାମ୍ କମାଇଲା ପରେ ୟୁପିରେ ମଧ୍ୟ ଭାଟ୍ ହ୍ରାସ ପାଇଛି । ଅର୍ଥାତ ୧୨ ଟଙ୍କା ଶସ୍ତା ହୋଇଛି ପେଟ୍ରୋଲ ଓ ଡିଜେଲ୍ ।
ଦରବୃଦ୍ଧିରେ ଅସନ୍ତୁଷ୍ଟ ଥିଲେ ଜନତା
ପେଟ୍ରୋଲ ଓ ଡିଜେଲ୍ ଦାମ କମ କରିବାର ସବୁଠୁ ବଡ କାରଣ ଜନତାଙ୍କ ଆକ୍ରୋଶ। ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପି ଅନେକ ସହରରେ ୧୧୦ ଟଙ୍କା ପାଖାପାଖି ରହିଥିଲା ପେଟ୍ରୋଲ। ସେହିପରି ଡିଜେଲ୍ ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହିଥିଲା। ସବୁଠୁ ଅଧିକ ମହଙ୍ଗା ମାଡ ସାଧାରଣ ଜନତାଙ୍କୁ ଅକ୍ଟୋବର ମାସରେ ସହିବାକୁ ପଡିଥିଲା। କାରଣ ଗତ ମାସରେ ପେଟ୍ରୋଲ ପାଖାପାଖି ଆଠ ଟଙ୍କା ଏବଂ ଡିଜେଲ୍ ନଅ ଟଙ୍କା ମହଙ୍ଗା ହୋଇଥିଲା।

ସରକାର ବଢାଇଥିଲେ ଉତ୍ପାଦ ଶୁଳ୍କ
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସବୁଠୁ ଅଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିଲେ। ଗତ ବର୍ଷ ପେଟ୍ରୋଲ ଲିଟର ଉପରେ ଉତ୍ପାଦ ଶୁଳ୍କ ୧୯.୯୮ ଟଙ୍କାରୁ ବଢାଯାଇ ୩୨.୯ ଟଙ୍କା କରାଯାଇଥିଲା। ସେହି ପରି ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇ ୩୧.୮୦ ଟଙ୍କା ଆଦାୟ କରାଯାଉଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ସହ ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିଲା। ଏହା ପରେ ବି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିନଥିଲେ। ଏହି କାରଣରୁ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଟପିଥିଲା। ଅନେକ ସହରରେ ଡିଜେଲ୍ ଶତକ ଛୁଇଁଥିଲା।



